fbpx

ଦେଶର ନାମ ପରିବର୍ତ୍ତନ ବିବାଦ; ନିଆଁରେ ଘିଅ ଢ଼ାଳିଲେ ପ୍ରଧାନମନ୍ତ୍ରୀ ମୋଦୀ…

ଓଡିଶା ଭାସ୍କର; ଦେଶର ନାମ ପରିବର୍ତ୍ତନକୁ ନେଇ ବିବାଦ ନିଆଁରେ ଜଳୁଛି ସାରା ଦେଶ । ଜି -୨୦ ସମ୍ମିଳନୀରେ ଅନୁଷ୍ଠିତ ରାତ୍ରୀଭୋଜନରେ ଅତିଥିଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଇଥିଲା । ଆଉ ଯାହାକୁ ନେଇ ବିବାଦର ନିଆଁ କୁହୁଳିବାକୁ ଆରମ୍ଭ କରିଥିଲା । ଇଣ୍ଡିଆ ବନାମ ଭାରତ ନାମକୁ ନେଇ ଜାତୀୟ ରାଜନୀତି ବି ମଧ୍ୟ ଖୁବ ସରଗରମ ରହିଛି । ବିରୋଧୀ ମେଣ୍ଟ ଦଳ ‘ଇଣ୍ଡିଆ’ ନେତା ମାନେ ଏହି ବିବାଦକୁ ନେଇ ମୋଦୀଙ୍କୁ ଲଗାତାର ଭାବେ ଟାର୍ଗେଟ କରିବାରେ ଲାଗିଛନ୍ତି । ବିରୋଧୀ ନେତା କହିଛନ୍ତି, ତାଙ୍କ ମେଣ୍ଟ ଦଳର ନାମ ‘ଇଣ୍ଡିଆ’ ରହିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ନାମ ବଦଳାଇବା ପାଇଁ ଷଡଯନ୍ତ୍ର କରୁଛନ୍ତି । ମେଣ୍ଟ ଦଳର ‘ଇଣ୍ଡିଆ’ ନାମ ଶୁଣି ପ୍ରଧାନମନ୍ତ୍ରୀ ଓ ବିଜେପି ସରକାର ଭୟଭୀତ ଅଛନ୍ତି ବୋଲି ବିରୋଧୀ ନେତା ଅଭିଯୋଗ ମଧ୍ୟ କରିଛନ୍ତି ।

ତେବେ ଏହି ବିବାଦ ନିଆଁରେ ଘିଅ ଢ଼ାଳିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦେଶର ନାମ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ଆଜି ବିବାଦକୁ ଆହୁରି ବଢ଼ାଇଛନ୍ତି । ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ନେମପ୍ଲେଟରେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଇଛି । ଅର୍ଥାତ ବିଶ୍ୱନେତାଙ୍କ ସମ୍ମୁଖରେ ମୋଦୀ ନିଜକୁ ଭାରତର ପ୍ରଧାନମନ୍ତ୍ରୀ ରୂପେ ପରିଚିତ କରାଇଛନ୍ତି । ସେହିପରି ଜି-୨୦ ଶିଖର ସମ୍ମିଳନୀକୁ ସମ୍ବୋଧନ କରି ଦେଶର ନାମ ନେବା ସମୟରେ ‘ଭାରତ’ ଶବ୍ଦର ବ୍ୟବହାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଯାହାକୁ ନେଇ ବିବାଦ ନିଆଁରେ ମୋଦୀ ଘିଅ ଢାଳିଥିବା ପରି ମନେ ହେଉଛି ।

ସେପଟେ ବିଦେଶ ପ୍ରତିନିଧିଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଜି-୨୦ ପୁସ୍ତିକାରେ ‘ଇଣ୍ଡିଆ’ ଶବ୍ଦର ନାମଗନ୍ଧ ନ ଥିବା ବେଳେ ସେଥିରେ କେବଳ ‘ଭାରତ’ ଶବ୍ଦର ପ୍ରୟୋଗ କରାଯାଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାର ଶୀର୍ଷକ ରହିଛି – ’Bharat, The Mother Of Democracy’ । ସେହିପରି ଉକ୍ତ ପୁସ୍ତିକାରେ ଭାରତ ହିଁ ଦେଶର ଔପଚାରିକ ନାମ ଭାବେ ଉଲ୍ଲେଖ ବି କରାଯାଇଛି । ଅନ୍ୟପଟେ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯଦି ଏହି କ୍ରମରେ ନୂଆ ଦିଲ୍ଲୀ ସବୁ ଔପଚାରିକତାକୁ ପୂରଣ କରି ପାରିଲେ ତେବେ ୟୁଏନ ରେକର୍ଡରେ ଦେଶର ନାମ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ କରାଯିବ । ମିଳିତ ଜାତିସଂଘର ମହାସଚିବକଙ୍କ ମୁଖ୍ୟ ମୁଖପାତ୍ର ଷ୍ଟିଫେନ ଡୁଜାରିକ ଆଜି ଦିଲ୍ଲୀର ଜି-୨୦ ବୈଠକରେ ଯୋଗ ଦେଇଥିବା ବେଳେ ଏହା କହିଛନ୍ତି । ତେବେ ଏହି ସମ୍ପୂର୍ଣ୍ଣ ଘଟଣାକୁ ଲକ୍ଷ୍ୟ କଲେ ଖୁବଶୀଘ୍ର ଦେଶର ନାମ ‘ଇଣ୍ଡିଆ’ରୁ ସରକାରୀ ଭାବେ ‘ଭାରତ’ ହେବା ନେଇ ସ୍ପଷ୍ଟ ଇସାରା ମିଳୁଛି ବୋଲି କୁହାଯାଇପାରେ ।

Get real time updates directly on you device, subscribe now.