G-20 Summit ପାଇଁ ୪୦୦୦ କୋଟିରୁ ଅଧିକ ଖର୍ଚ୍ଚ: ଭାରତ ମଣ୍ଡପମରେ ଏକସଙ୍ଗେ ବସିପାରିବେ ୧୦ ହଜାର ଲୋକ

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଉଥିବା ଜି-୨୦ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଆସିଥିବା ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିଙ୍କ ସ୍ୱାଗତ ପାଇଁ ଭାରତ ମଣ୍ଡପମ୍ ନିର୍ମାଣ କରାଯାଇଛି । ସେପ୍ଟେମ୍ବର ୯ରୁ ୧୦ ପର୍ଯ୍ୟନ୍ତ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଶିଖର ସମ୍ମିଳନୀ ଯେଉଁ ସ୍ଥାନରେ ଆୟୋଜିତ ହେବ ତାହା ସିଡନୀର ଅପେରାଠାରୁ ମଧ୍ୟ ବଡ଼ । ଦିଲ୍ଲୀର ପ୍ରଗତି ମୈଦାନରେ ଭାରତ ମଣ୍ଡପମ ନିର୍ମାଣ କରାଯାଇଥିବା ବେଳେ ଏହି ସମ୍ମିଳନୀରେ ପାଖାପାଖି ୧ ହଜାର ପ୍ରତିନିଧି ସାମିଲ ହେବେ ।

ଭାରତ ମଣ୍ଡପମ ଦେଶର ସବୁଠାରୁ ବଡ଼ କନଭେନସନ ସେଣ୍ଟର ହୋଇଥିବା ବେଳେ ଗତ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାହାକୁ ଉଦଘାଟନ କରିଥିଲେ । ଦେଶର ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ଝରକା ଭାବେ ଏହାକୁ ଆର୍କିଟେକ ଡିଜାଇନ କରିଛନ୍ତି । କେନ୍ଦ୍ର ସରକାର ଭାରତ ମଣ୍ଡପମର ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୨୭୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ଜି-୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ଦିଲ୍ଲୀର ସୌନ୍ଦର୍ଯ୍ୟକରଣରେ ୪୬୦୪ କୋଟି ଖର୍ଚ୍ଚ ହୋଇଛି । ଜି-୨୦ ସମ୍ମିଳନୀର ଆୟୋଜନ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥାଏ ।

ଭିତ୍ତିଭୂମିଠାରୁ ଆରମ୍ଭ କରି ସହରର ସୌନ୍ଦର୍ଯ୍ୟକରଣ ଆଦି ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟରେ ବହୁତ ଅର୍ଥ ଖର୍ଚ୍ଚ ହୋଇଛି । ଜି-୨୦ ସମ୍ମିଳନୀର ପ୍ରସ୍ତୁତିରେ କେନ୍ଦ୍ର ସରକାର କୌଣସି ଅବହେଳା କରିନାହାନ୍ତି । ୧୨୩ ଏକର କ୍ଷେତ୍ରଫଳ ଅଞ୍ଚଳରେ ଭାରତ ମଣ୍ଡପର ନିର୍ମାଣ ହୋଇଛି । ଏହା ୨୬ଟି ଫୁଟବଲ ଷ୍ଟାଡିୟମ ସହ ସମାନ ହୋଇଥିବା ବେଳେ ସେଥିରେ ପାଖାପାଖି ୧୦ ହଜାର ଲୋକ ବସିପାରିବେ । ଭାରତ ମଣ୍ଡପମର ପ୍ରତି ଫ୍ଲୋର, ପ୍ରତି ରୁମ ଓ କ୍ୟାମ୍ପସରେ ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି ।

ଭାରତ ମଣ୍ଡପରେ ୭ଟି ନୂଆ ପ୍ରଦର୍ଶନୀ ହଲ ନିର୍ମାଣ କରାଯାଇଥିବା ବେଳେ ସେଠାରେ ଏକସଙ୍ଗେ ୩ ହଜାର ଲୋକ ବସିପାରିବେ । ଏହାର ତୃତୀୟ ମହଲାରେ ଏକ ବଡ଼ ହଲ ରହିଥିବା ସେଠାରେ ଏକସଙ୍ଗେ ୭ ହଜାର ଲୋକ ବସିପାରିବେ । ଏହି ସମ୍ମିଳନୀ ପାଇଁ ଦିଲ୍ଲୀକୁ ଏକ ଦୁଲହନ ପରି ସଜାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା ପାଇଁ ହାଇ ଟେକନିକ ଗ୍ରହଣ କରାଯାଇଛି । ୧.୩୦ ଲକ୍ଷ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀଙ୍କୁ ସହରର କୋଣ ଅନୁକୋଣରେ ମୁତୟନ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖୀଙ୍କ ଏକ ଡକ୍ୟୁମେଣ୍ଟରୁ ମିଳିଥିବା ତଥ୍ୟ ମୁତାବକ, ଆଇଟିପିଓ ମୋଟ ବିଲର ୮୭ ପ୍ରତିଶତରୁ ଅଧିକ ଅର୍ଥାତ ପାଖାପାଖି ୩,୬୦୦ କୋଟି ଭରଣା କରିଛି । ଦିଲ୍ଲୀ ପୋଲିସ ୩୪୦ କୋଟି ଓ ଏନଡିଏମସି ୬୦ କୋଟି ଭରଣା କରିଛି । ଦିଲ୍ଲୀ ସରକାରଙ୍କ ଲୋକ ନିର୍ମାଣ ବିଭାଗ ୪୫ କୋଟି, କେନ୍ଦ୍ର ସଡ଼କ ଭୂତର ପରିବହନ ବିଭାଗ ୨୬ କୋଟି, ଦିଲ୍ଲୀ ବିକାଶ ପ୍ରାଧିକରଣ ୧୮ କୋଟି, ଦିଲ୍ଲୀ ବନ ବିଭାଗ ୧୬ କୋଟି, ଏମସିଡି ୫ କୋଟି ଖର୍ଚ୍ଚ କରିଛି ।