fbpx

୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଜାରି ହେଲା ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ବୁଧବାର ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସକ୍ରିୟ ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ଏହା ସକ୍ରିୟ ରହିଥିବା ଜଣାପଡିଛି। ସେହିପରି ବର୍ତ୍ତମାନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୁଦୃଶ୍ୟ ଲଘୁଚାପ କେନ୍ଦ୍ରୀଭୂତ ରହିଛି । ଏହା ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ୨ ଦିନ ମଧ୍ୟରେ ଏହା ଓଡ଼ିଶା ଓ ଛତିଶଗଡ଼ ଅତିକ୍ରମ କରିବାର ସମ୍ଭାବନା ରହିଛି। ତେବେ ଏହା ଫଳରେ ଆସନ୍ତା ୨ ଦିନ ମଧ୍ୟରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୨୪ ଘଣ୍ଟା ବା ୧୫ ସେପ୍ଟେମ୍ବର ଅପରାହ୍ନ ମଧ୍ୟରେ ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷର (୨୦ ସେମିରୁ ଅଧିକ), ୯ ଜିଲ୍ଲାରେ ଅତି ପ୍ରବଳ ବର୍ଷା (୭ରୁ ୨୦ ସେମି) ଓ ୬ ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ ସେମି) ହେବାର ସମ୍ଭାବନା ରହିଛି। ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବରଗଡ଼, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୨୦ ସେମିରୁ ଅଧିକ) ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ଏହି ଜିଲ୍ଲାଗୁଡ଼ିକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ସୂଚନା ଥାଉକି, ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯିବା ପରେ ସ୍ୱତନ୍ତ୍ର ରିଲିଫ କମିଶନର ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସ୍ଥିତିର ସମୀକ୍ଷା କରିଛନ୍ତି । ସଂପୃକ୍ତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବାକୁ ଏସଆରସି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ହୀରାକୁଦର ଦୁଇଟି ଗେଟ୍ ଖୋଲାଯାଇଛି । ବୁଧବାର ଅପରାହ୍ନରେ ଦକ୍ଷିଣ ପାର୍ଶ୍ଵର ଓ ବାମପାଶ୍ୱର୍ର ଗୋଟିଏ ଲେଖାଏଁ ଗେଟ୍ ଖୋଲାଯାଇଛି । ହୀରାକୁଦର ଜଳସ୍ତର ବଢୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ରାଜ୍ୟରେ ବନ୍ୟା ସ୍ଥିତି ନଥିବା କଥା କୁହାଯାଇଛି । କେବଳ ବର୍ଷା କାରଣରୁ ନଦୀରେ ପାଣି ଅଧିକ ଆସିବ କିନ୍ତୁ ବନ୍ୟା ସମ୍ଭାବନା ନାହିଁ । ସେହିପରି ତଳ ମୁଣ୍ଡରେ ବର୍ଷା ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.