ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁ ଠାରେ ଚାଲିଥିବା ଏସୀୟ କ୍ରୀଡ଼ାର ଆଜି ହେଉଛି ଷଷ୍ଠ ଦିବସ । ତେବେ ଆଜି ଭାରତ ଶୁଟିଂରେ ଇତିହାସ ରଚିଛି । ଭାରତ ପ୍ରଥମେ ଶୁଟିଂରେ ସିଲଭର ପଦକ ହାସଲ କରିଥିବା ବେଳେ ତା’ପରେ ସ୍ୱର୍ଣ୍ଣ ପଦକ ଜିତିଛି । ଏସିଆନ କ୍ରୀଡ଼ା ଇତିହାସରେ ଶୁଟିଂ କ୍ୟାଟେଗୋରୀରେ ଏହା ହେଉଛି ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ।
ଆଜି ଭାରତୀୟ ପୁରୁଷ ଓ ମହିଳା ଶୁଟରମାନେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । ପୁରୁଷ ଟିମ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମହିଳା ଟିମ୍ ସିଲଭର ପଦକ ହାସଲ କରିଛି । ଐଶ୍ୱର୍ଯ୍ୟା ପ୍ରତାପ ସିଂହ ତୋମର, ସ୍ୱପ୍ନିଲ କୁସାଲେ, ଅଖିଲ ଶିଓରନ ପୁରୁଷ ୫୦ ମିଟର ରାଇଫଲ ୩ପି ଟିମ୍ ଇଭେଣ୍ଟରେ ବିଶ୍ୱରେକର୍ଡ କରିଥିଲେ ।
ଏହା ପୂର୍ବରୁ ଇଶା ସିଂହ, ପଲକ ଓ ଦିବ୍ୟା ଥାଡିଗୋଲ ଭାରତ ପାଇଁ ଆଜିର ପ୍ରଥମ ପଦକ ଜିତିବା ସହ ଏସିଆନ ଗେମ୍ସର ମହିଳା ୧୦ ମିଟର ଏୟାର ପିସ୍ତଲ ଟିମ ଇଭେଣ୍ଟରେ ସିଲଭର ପଦକ ଜିତିଥିଲେ । ଟେନିସ ଷ୍ଟାର ସା ମାଇନେନି ଓ ରାମକୁମାର ରାମନାଥନ ପୁରୁଷ ଟେନିସର ଡବଲସ ଇଭେଣ୍ଟରେ ପଛରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୧ଟି ବ୍ରୋଞ୍ଜ ପଦକ ହାସଲ କରିଛି ।
ଚଳିତ ଏସୀୟ କ୍ରୀଡ଼ାରେ ଭାରତ ବିଭିନ୍ନ ବର୍ଗରେ ପଦକ ହାସଲ କରିଛି । ଭାରତ ବର୍ତ୍ତମାନ ସୁଦ୍ଧା ୭ଟି ୱର୍ଣ୍ଣ ସହ ୨୭ଟି ପଦକ ହାସଲ କରି ଲିଷ୍ଟରେ ୫ମ ସ୍ଥାନରେ ରହିଛି । ସେହିପରି ଚୀନ ୯୨ଟି ସ୍ୱର୍ଣ୍ଣ ପଦକ ସହ ମୋଟ ୧୭୧ ପଦକ ସହ ଶୀର୍ଷରେ ରହିଛି । ଦ୍ୱିତୀୟ ସ୍ଥାନରେ ରହିଥିବା ରିପବ୍ଲିକ ଅଫ୍ କୋରିଆ ୨୪ଟି ସ୍ୱର୍ଣ୍ଣ ସହ ୮୬ଟି ପଦକ, ଜାପାନ ୧୮ଟି ସ୍ୱର୍ଣ୍ଣ ସହ ୮୦ଟି ପଦକ ହାସଲ କରିଛି । ଆଜି ବିଭିନ୍ନ ରାଷ୍ଟ୍ରର କ୍ରୀଡ଼ାବିତମାନେ କିଛି ପଦକ ହାସଲ କରିବାର ସମ୍ଭାବନା ରହିଛି । ତେଣୁ ଏହି ଲିଷ୍ଟରେ କିଛି ପରିବର୍ତ୍ତନ ହୋଇପାରେ ।