fbpx

‘ମାଟିରେ ମିଶାଇ ଦେବୁ ହମାସର ନାମ ଏବଂ ଏଥିରେ ସଂପୃକ୍ତ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେବୁ ମୃତ୍ୟୁଦଣ୍ଡ’: ଏପରି କହିଲେ ଇସ୍ରାଏଲ PM ନେତାନ୍ୟାହୁ

ନୂଆଦିଲ୍ଲୀ: ଇସ୍ରାଏଲ-ହାମାସ ଯୁଦ୍ଧ ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବୁଧବାର ଦିନ ଏକ ବିବୃତ୍ତିରେ ହାମାସ ଯୋଦ୍ଧାମାନଙ୍କୁ ବିନାଶ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ, ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀର ସମସ୍ତ ଆତଙ୍କବାଦୀଙ୍କର ମୃତ୍ୟୁ ସୁନିଶ୍ଚିତ। ଶନିବାର ଦିନ ହାମାସ ଦ୍ୱାରା ଇସ୍ରାଏଲ ଉପରେ ହଠାତ୍ ଆକ୍ରମଣ ପରେ ପ୍ରଥମ ଥର ପାଇଁ ନେତାନ୍ୟାହୁ ହାମାସକୁ ଧ୍ୱଂସ କରିବା ବିଷୟରେ କହିଛନ୍ତି।

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ କହିଛନ୍ତି ଯେ, ଆମେ ହାମାସକୁ ପୃଥିବୀରୁ ବିନାଶ କରିଦେବୁ। ନେତାନ୍ୟାହୁ ସାମୟିକ ଭାବରେ ନିଜର ରାଜନୈତିକ ମତଭେଦକୁ ଦୂରେଇ ରଖିଛନ୍ତି । ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜଙ୍କୁ ମଧ୍ୟ ଏହି ନୂତନ ଜରୁରୀକାଳୀନ ସରକାରରେ ଅନ୍ତର୍ଭୁକ୍ତ କରାଯାଇଛି।

ମିଳିତ ଜାତିସଂଘର ତଥ୍ୟ ଅନୁଯାୟୀ, ଗାଜା ଉପରେ ଇସ୍ରାଏଲର ଆକ୍ରମଣ ପରେ ଏପର୍ଯ୍ୟନ୍ତ ୩ ଲକ୍ଷ ୩୮ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ବିବିସି ସମ୍ବାଦ ଅନୁଯାୟୀ, ଇସ୍ରାଏଲ୍ ହାମାସ ଦଖଲ କରିଥିବା ଗାଜା ଷ୍ଟ୍ରିପ୍ ଅଞ୍ଚଳରେ ପ୍ରାୟ ୩ ଲକ୍ଷ ରିଜର୍ଭ ଫୋର୍ସ ମୁତୟନ କରିଛି। ଇସ୍ରାଏଲ-ହାମାସ ଯୁଦ୍ଧରେ ଉଭୟ ପାର୍ଶ୍ୱରେ ୨୧୦୦ ଲୋକ ପ୍ରାଣ ହରାଇଛନ୍ତି, ଯେଉଁଥିରେ ଗାଜା ଅଂଚଳରେ ୧୦୦୦ ହଜାର ଲୋକ ପ୍ରାଣ ହରାଇଥିବାବେଳେ ଇସ୍ରାଏଲରେ ୧୨୦୦ ଲୋକ ପ୍ରାଣ ହରାଇଛନ୍ତି।

ପାଲେଷ୍ଟାଇନ ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ତଥ୍ୟ ଅନୁଯାୟୀ, ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଯୋଗୁଁ ପ୍ରତି ଘଣ୍ଟାରେ ପ୍ରାୟ ୫୧ ପାଲେଷ୍ଟାଇନୀୟ ମୃତ୍ୟୁବରଣ କରୁଛନ୍ତି। ଗାଜାକୁ ସହାୟତା କରିବାକୁ ଏବଂ ଏକ ନିରାପଦ କରିଡର ସୃଷ୍ଟି କରିବାକୁ ଆମେରିକା ଇସ୍ରାଏଲ୍, ମିଳିତ ଜାତିସଂଘ ଏବଂ ଇଜିପ୍ଟ ସହିତ ଆଲୋଚନା କରୁଛି। ଆମେରିକାର ବୈଦେଶିକ ସଚିବ ଆନ୍ଥୋନୀ ବ୍ଲିଙ୍କେନ୍ କିଛି ଘଣ୍ଟା ମଧ୍ୟରେ ଇସ୍ରାଏଲରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

Get real time updates directly on you device, subscribe now.