VIMSARରେ ଆରମ୍ଭ ହେଲା ନୂଆ ଅଧ୍ୟାୟ: ହୃଦରୋଗୀଙ୍କୁ ସୁରକ୍ଷା ଯୋଗାଇବ ‘ଷ୍ଟେମି ପ୍ରକ୍ରିୟା’, ରୋଗୀଙ୍କୁ ମିଳିବ ଶୀଘ୍ର ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ହୃଦରୋଗ ଏକ ଭୟଙ୍କର ବିମାରୀ ଭାବେ ଉଭା ହୋଇଛି । ସମାଜର ବିଭିନ୍ନ ବୟସର ଲୋକମାନେ ଏଥିରେ ସଂକ୍ରମିତ ହୋଇ ଅକାଳରେ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ସମ୍ବଲପୁରର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର) ସହିତ ଯୋଡ଼ି ହୋଇଛି ଚିକିତ୍ସାର ଏକ ନୂଆ ଅଧ୍ୟାୟ ।

ହୃଦରୋଗର ଚିକିତ୍ସା ପାଇଁ ଭୀମସାରରେ ଆରମ୍ଭ କରାଯାଇଛି ‘ଷ୍ଟେମି ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ହୃଦରୋଗୀମାନେ ଶୀଘ୍ର ଚିକିତ୍ସା ପାଇବା ସହିତ ମୃତ୍ୟୁହାର ହ୍ରାସ ପାଇବ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ର ଚିଠି ପାଇବା ପରେ ଭୀମସାରରେ ଏହି ସେବା ଆରମ୍ଭ କରାଯାଇଛି । ପ୍ରାଥମିକ ସ୍ତରରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କୁଚିଣ୍ଡା, ଯୁଯୁମୁରା, ବାମରା ବ୍ଲକ ଗୋବିନ୍ଦପୁର, ରେଙ୍ଗାଲି ବ୍ଲକ ଳଇଡ଼ା, ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଅତାବିରା, ପଦ୍ମପୁର, ପାଇକମାଳ ଆଦି ଡାକ୍ତରଖାନା ସହ ଯୋଗାଯୋଗ କରାଯାଇଛି ।

ଭୀମସାରକୁ ପ୍ରତିଦିନ ହଜାର ହଜାର ରୋଗୀ ଆସୁଥିବା ବେଳେ ଏହି ପ୍ରକ୍ରିୟା ଦ୍ୱାରା ଗ୍ରାମାଞ୍ଚଳର ରୋଗୀମାନେ ଅଧିକ ମାତ୍ରାରେ ଉପକୃତ ହୋଇ ପାରିବେ । ରୋଗୀଙ୍କୁ ତୁରନ୍ତ ଚିକିତ୍ସା ନ ଯୋଗାଇଲେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ । ସହରାଞ୍ଚଳର ଘରୋଇ ମେଡିକାଲରେ ଏହି ସୁବିଧା ଉପଲବ୍ଧ ରହିଥିବା ବେଳେ ଗ୍ରାମାଞ୍ଚଳର ରୋଗୀମାନେ ଏହି ସୁବିଧା ପାଇବାରୁ ବଞ୍ଚିତ ହୋଇଥାନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଇସିଜି କରାଯାଇ ହୃଦଘାତ ହୋଇଥିବା ଜାଣିବା ପରେ ବଡ଼ଡାକ୍ତରଖାନାକୁ ନେବାରେ ବିଳମ୍ବ ହୋଇଯାଇଥାଏ । ଫଳରେ ରୋଗୀର ସ୍ଥିତି ସଙ୍କଟାପନ୍ନ ହୋଇଯାଇଥାଏ । ମାତ୍ର ଷ୍ଟେମି ପଦ୍ଧତିରେ ରୋଗୀମାନେ ତୁରନ୍ତ ଚିକିତ୍ସା ସୁବିଧା ପାଇ ପାରିବେ । ଡାକ୍ତର ଇସିଜି ପରୀକ୍ଷା କରିବା ପରେ ତା’ର ରିପୋର୍ଟ ସଙ୍ଗେସଙ୍ଗେ ବେଙ୍ଗାଲୁରୁ ପଠାଇ ପାରିବେ । ସେଠାରେ ୨୪ ଘଣ୍ଟିଆ କାର୍ଯ୍ୟ କରୁଥିବା ବିଶେଷଜ୍ଞ ଟିମ ରୋଗୀ ବିଷୟରେ ଜାଣିବା ପରେ ଭୀମସାରକୁ ସୂଚନା ଦେବା ସହିତ ରୋଗୀକୁ ସେଠାକୁ ସ୍ଥାନାନ୍ତରିତ ନେଇ ପରାମର୍ଶ ଦେବେ । ଫଳରେ ରୋଗୀକୁ ମୃତ୍ୟୁମୁଖରୁ ବଞ୍ଚାଇ ହେବ ।