fbpx

ଲିଫ୍ଟ ଜନିତ ଦୁର୍ଘଟଣା ରୋକିବାକୁ ଆସିଲା କଡା ଆଇନ, ଅବମାନନା କଲେ ଜେଲ୍ ସହିତ ଭରିବାକୁ ହେବ ମୋଟା ରକମର ଜୋରିମାନା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଗତ କିଛିଦିନ ମଧ୍ୟରେ ଲିଫ୍ଟ ଜନିତ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ଲକ୍ଷ୍ୟ କରି ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାର ଏବେ କଡା ଆଇନ ତିଆରି କରିଛନ୍ତି । ଲିଫ୍ଟ ବନ୍ଦ ହୋଇଯିବା, ଭାଙ୍ଗି ଖସିପଡିବା କିମ୍ବା ଅନ୍ୟ ଲିଫ୍ଟ ଜନିତ ଦୁର୍ଘଟଣା କ୍ଷେତ୍ରରେ ଏଣିକି ଲିଫ୍ଟ ଲଗାଇଥିବା ସଂସ୍ଥା କିମ୍ବା କମ୍ପାନୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉତ୍ତରପ୍ରଦେଶର ଶକ୍ତି ବିଭାଗ ୟୁପି ଲିଫ୍ଟ ଆଣ୍ଡ ଏସ୍କେଲେଟର ଆଇନ ଆଣିବାକୁ ଯାଉଛନ୍ତି । ଏହି ଆଇନରେ ବ୍ୟବଧାନ ରହିବ କି ବିନା ପଞ୍ଜିକରଣରେ କେହି ଲିଫ୍ଟ ଲଗାଇ ପାରିବେ ନାହିଁ । କେବଳ ଏତିକି ନୁହେଁ ଲିଫ୍ଟ ଆଣ୍ଡ ଏସ୍କେଲେଟରରେ କୌଣସି ଦୁର୍ଘଟଣା ହୋଇଗଲେ ଏକ ଲକ୍ଷ ଟଙ୍କା ଜୋରିମାନା ଓ ୩ ମାସ ଜେଲ୍ ଦଣ୍ଡ ବି ମିଳିବ ।

ଏହି ପ୍ରସ୍ତାବିତ ଆଇନରେ ସମସ୍ତ ପ୍ରକାର ଲିଫ୍ଟ ଓ ଏସ୍କେଲେଟର ଆସିବ । ବ୍ୟବସାୟ ଅନୁଷ୍ଠାନ, ବିଭିନ୍ନ ସଂସ୍ଥା ଓ ସରକାରୀ କାର୍ଯ୍ୟାଳୟ ଲାଗି କଠୋର ନିୟମ ରହିବ । ସେ ସରକାରୀ ହୁଅନ୍ତୁ କି ଘରୋଇ ସମସ୍ତ ଲିଫ୍ଟ ଓ ଏହାର ସଞ୍ଚାଳକ ଏହା ଅଧୀନରେ ଆସିବେ । ସମସ୍ତ ଲିଫ୍ଟରେ ପ୍ରଶିକ୍ଷିତ ଅପରେଟର ରହିବା ଜରୁରୀ ।

ଏହି ଆଇନ ବଳରେ ଯେଉଁ ସଂସ୍ଥା ଲିଫ୍ଟ ଲଗାଇବାକୁ ଆବେଦନ କରିବ ସେ ଅଟୋ ରେସ୍କ୍ୟୁ ଡିଭାଇସ୍ ବାଲା ଲିଫ୍ଟ ହିଁ ଲଗାଇବ । ଏହି ଡିଭାଇସ୍‌ର ବହୁ ଫାଇଦା ରହିଛି । ଏଥିରେ ଅଚାନକ ବିଜୁଳି ଚାଲିଗଲେ କମ୍ବା କୌଣସି ଯାନ୍ତ୍ରିକ ତ୍ରୁଟି ଘଟିଲେ ଲିଫ୍ଟ ମଝିରେ ନ ଅଟକି କୌଣସି ଏକ ଫ୍ଲୋରରେ ଯାଇ ଅଟକିବ ଓ ଏଥିରେ ଲିଫ୍ଟର ଦ୍ୱାର ମନକୁ ମନ ଖୋଲିଯିବ ।

Get real time updates directly on you device, subscribe now.