ICMRକୁ ମିଳିଲା ବଡ଼ ସଫଳତା: ଏଣିକି ପୁରୁଷମାନେ ମଧ୍ୟ ଗର୍ଭନିରୋଧକ ନେଇ ପାରିବେ, କୌଣସି ଖରାପ ପ୍ରଭାବ ପଡ଼ିବନି

ନୂଆଦିଲ୍ଲୀ: ସାଧାରଣ ଭାବେ ମହିଳାଙ୍କ ପାଇଁ ବଜାରରେ ଗର୍ଭନିରୋଧକ ମେଡିସିନ ଉପଲବ୍ଧ ରହିଥାଏ । ମାତ୍ର ପୁରୁଷଙ୍କ ପାଇଁ ଏପରି କୌଣସି ସୁବିଧା ଉପଲବ୍ଧ ନଥାଏ । ତେଣୁ ପରିବାର ନିୟୋଜନ ପାଇଁ ପୁରୁଷମାନେ ନିରୋଧ ବା କଣ୍ଡୋମ ବ୍ୟବହାର କରିଥାନ୍ତି । ତେବେ ଏ କ୍ଷେତ୍ରରେ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ଏକ ବଡ଼ ସଫଳତା ହାସଲ କରିଛି । ତେଣୁ ଏଣିକି ବଜାରରେ ପୁରୁଷଙ୍କ ପାଇଁ ମଧ୍ୟ ଗର୍ଭନିରୋଧକ ଉପଲବ୍ଧ ହେବ ବୋଲି କୁହାଯାଇଛି ।

ଦୀର୍ଘ ୭ ବର୍ଷର କ୍ଲିନିକାଲ ଟେଷ୍ଟ ପରେ ଆଇସିଏମଆରକୁ ଏ କ୍ଷେତ୍ରରେ ମିଳିଛି ଏକ ବଡ଼ ସଫଳତା । ପୁରୁଷଙ୍କ ପାଇଁ ମଧ୍ୟ ଗର୍ଭନିରୋଧକ ମେଡସିନ ପ୍ରସ୍ତୁତ ହୋଇଛି । ତା’ର କୌଣସି ଖରାପ ପ୍ରଭାବ ପଡ଼ିବନି । ଏହି ଗର୍ଭନିରୋଧକ ଦୀର୍ଘ ସମୟ ଧରି ପ୍ରଭାବୀ ରହିବ । ଏହି ଅବଧି ମଧ୍ୟରେ ଆଇସିଏମଆର ୩୦୩ ଜଣ ସୁସ୍ଥ ଲୋକଙ୍କ ଉପରେ ଏହାର ପରୀକ୍ଷଣ କରିଥିଲା ।

ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟ ମୁତାବକ, ତୃତୀୟ ପର୍ଯ୍ୟାୟ ଷ୍ଟଡିରେ ୩୦୩ ଜଣ ଯୁବକଙ୍କୁ ସାମିଲ କରାଯାଇଥିଲା । ସେମାନେ ସମସ୍ତେ ବିବାହିତ ଥିଲେ ଓ ସେମାନଙ୍କର ବୟସ ୨୫ରୁ ୪୦ ବର୍ଷ ମଧ୍ୟରେ ରହିଥିଲା । ସେମାନଙ୍କୁ ୬୦ ଏମଜି ରିଭର୍ସିବଲ ଇନହିବିସନ ଅଫ୍ ସ୍ପର୍ମ ଅଣ୍ଡର ଗାଇଡାନ୍ସ (ରିସୁଜ) ଦିଆଯାଇଥିଲା । ତେବେ ରିସୁଜ ବିନା କୌଣସି ଗମ୍ଭୀର ସାଇଡ୍ ଇଫେକ୍ଟରେ ଗର୍ଭଧାରଣକୁ ରୋକିବାରେ ୯୯.୦୨ ପ୍ରତିଶତ ସକ୍ଷମ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଥିଲା । ଯେଉଁ ସବୁ ପୁରୁଷଙ୍କ ଉପରେ ଏହି ଟେଷ୍ଟ କରାଯାଇଥିଲା, ସେମାନଙ୍କର ପତ୍ନୀଙ୍କୁ ମଧ୍ୟ ଚେକଅପ୍ କରାଯାଇଥିଲା । କୌଣସି ମହିଳାଙ୍କ ଠାରେ ବି ଏହାର ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିନଥିଲା । ଆଇଆଇଟି ଖଡ଼ଗପୁରର ଡାକ୍ତର ସୁଜୟ କୁମାର ଗୁହା ଏହି ରିସୁଜ ବିକାଶ କରିଛନ୍ତି । ଏ ବାବଦରେ ୧୯୭୯ ମସିହାରେ ପ୍ରଥମ ପେପର ପ୍ରକାଶିତ ହୋଇଥିଲା । ମାତ୍ର ଏହାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟେଷ୍ଟା ସମାପ୍ତ ହେବାକୁ ଏକ ଦଶକ ସମୟ ଲାଗି ଯାଇଥିଲା ।