ଭୁବନେଶ୍ୱର: OAS ସ୍ତରରେ ପୁଣି ଏକ ବଡ଼ ଧରଣର ଅଦଳ ବଦଳ କରାଯାଇଛି । ସାଧାରଣ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଓଏଏସ ସ୍ତରରେ ଏହି ବଡ଼ ଅଦଳ ବଦଳ ହୋଇଥିବା ଜଣାପଡ଼ିଛି । କେନ୍ଦ୍ର ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ କ୍ରମେ ଗତ ମେ’ ମାସରେ ସରକାରୀ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଯେଉଁକର୍ମଚାରୀମାନେ ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ କରିଛନ୍ତି ଓ ଯେଉଁମାନେ ନିଜ ଘରୋଇ ଜିଲ୍ଲାରେ କାର୍ୟ୍ୟ କରୁଛନ୍ତି ସେମାନଙ୍କୁ ବଦଳି କରାଯିବା ବିଧି ରହିଥିବାରୁ ଏହି କାର୍ୟ୍ୟ ଜୋରଦାର ହୋଇଛି ।
ନିକଟରେ ଗତ ୧୩ ତାରିଖ ଦିନ ଓଏଏସ ସ୍ତରରେ ଏକ ବଡ ବଡ଼ ଧରଣର ଅଦଳ ବଦଳ ହୋଇଥିଲା । ଏବେ ପୁଣି ମାତ୍ର ୧୦ ଦିନ ବ୍ୟବଧାନରେ ସମାନ ଭାବେ ଅଦଳ ବଦଳ କରାଯାଇଥିବା ଦେଖିବାକୁ ମିଳିଛି । ଶନିବାର ବିଳମ୍ୱିତ ସନ୍ଧ୍ୟାରେ ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୨୦ଜଣ ଓଏଏସ୍ ଅଫିସରଙ୍କୁ ନୂତନ ସ୍ଥାନରେ ଅବସ୍ଥାପିତ କରାଯାଇଛି । ଏହି ଅଧିକାରୀମାନଙ୍କୁ ୨୫ତାରିଖ ସୁଦ୍ଧା ନିଜର ନୂଆ ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି ।