fbpx

‘ଏକ ଦେଶ- ଏକ ନିର୍ବାଚନ’ ପୁଣି କାର୍ଯ୍ୟକାରୀ ହେବ କି? ଉତ୍ତର ଦେଲେ କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ଭାରତ ସରକାର ଦେଶରେ ‘ୱାନ ନେସନ- ୱାନ ଇଲେକ୍ସନ’ ଲାଗୁ କରିବା ସପକ୍ଷରେ ରହିଛନ୍ତି । ଏହି ନିୟମ ଲାଗୁ ହେଲେ ଅନେକ ଫାଇଦା ମିଳିବା ସହ ଅନେକ କ୍ଷତି ହେବାର ସମ୍ଭାବନା ରହିଥିବା ବିଶ୍ଲେଷଣକାରୀମାନେ ମତ ଦେଇଛନ୍ତି । ସେହିପରି ଏହାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି । ଅନ୍ୟପଟେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ଭାରତ ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହାର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ତେବେ କିଛି ଦିନ ହେବ ଏହି ‘ଏକ ଦେଶ- ଏକ ନିର୍ବାଚନ’ ପ୍ରଂସଙ୍ଗରେ ଶୀଥିଳତା ପଡିଯାଇଥିଲା । ଯାହାକୁ ନେଇ ‘ଏକ ଦେଶ- ଏକ ନିର୍ବାଚନ’ ପୁଣି କାର୍ଯ୍ୟକାରୀ ହେବ କି ବୋଲି ସାମ୍ବାଦିକ ମାନେ କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କୁ ପ୍ରଶ୍ନ କରିଥିଲେ ।

ଗଣମାଧ୍ୟମକୁ ସୂଚନା ଦେଇ ରାମନାଥ କୋବିନ୍ଦ କହିଛନ୍ତି, ଭାରତ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ମୋତେ ଏହାର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ଏହି ଧାରଣାକୁ ପୁନଃ କାର୍ଯ୍ୟକାରୀ କରିବା ସମ୍ପର୍କରେ କମିଟିର ସଦସ୍ୟମାନେ ଜନସାଧାରଣଙ୍କ ସହ ସରକାରଙ୍କୁ ପରାମର୍ଶ ଦେବେ। ମୁଁ ସମସ୍ତ ଜାତୀୟ ପଞ୍ଜୀକୃତ ରାଜନୈତିକ ଦଳ ସହ ଯୋଗାଯୋଗ କରିଛି ଏବଂ ସେମାନଙ୍କ ପରାମର୍ଶ ଲୋଡିଛି। ପ୍ରତ୍ୟେକ ରାଜନୈତିକ ଦଳ ଏହାକୁ ଏକ ସମୟରେ ସମର୍ଥନ କରିଛନ୍ତି। ସେମାନଙ୍କର ଗଠନମୂଳକ ସମର୍ଥନ ପାଇଁ ଆମେ ସମସ୍ତ ପକ୍ଷଙ୍କୁ ଅନୁରୋଧ କରୁଛୁ । ଏହା ଦେଶ ପାଇଁ ଲାଭଦାୟକ ଅଟେ । ଏହା ଜାତୀୟ ସ୍ୱାର୍ଥର ବିଷୟ । ରାମନାଥ କୋବିନ୍ଦ କହିଛନ୍ତି ଯେ ଏଥିରେ କୌଣସି ରାଜନୈତିକ ଦଳର କୌଣସି ସମ୍ପର୍କ ନାହିଁ ଏବଂ ଏହା ଶେଷରେ ଜନସାଧାରଣଙ୍କ ପାଇଁ ଲାଭଦାୟକ ହେବ । କାରଣ ଏକା ସମୟରେ ନିର୍ବାଚନ ହେଲେ କମ୍ ଅର୍ଥ ଖର୍ଚ୍ଚ ହେବ ଓ ବାକି ଅର୍ଥ ବିକାଶ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ।

ସୂଚନା ଯୋଗ୍ୟ, ଚଳିତ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ‘ଏକ ଦେଶ- ଏକ ନିର୍ବାଚନ’ ପ୍ରସଙ୍ଗକୁ ଯାଞ୍ଚ କରିବା ସହ ଦେଶରେ ଏକକାଳୀନ ନିର୍ବାଚନ କରିବା ପାଇଁ ସୁପାରିଶ କରିଥିଲେ। ‘ଏକ ଦେଶ- ଏକ ନିର୍ବାଚନ’ ପଛରେ କେନ୍ଦ୍ରୀୟ ଧାରଣା ହେଉଛି ସମଗ୍ର ଦେଶରେ ନିର୍ବାଚନ ବାରମ୍ବାର ନ କରି ସମସ୍ତ ରାଜ୍ୟରେ ଲୋକସଭା ଏବଂ ରାଜ୍ୟସଭା ନିର୍ବାଚନର ସମୟକୁ ଏକକାଳୀନ କରିବା । ଯେଉଁଥିରେ କମ ଟଙ୍କା ଖର୍ଚ୍ଚ ହେବ ଓ ବଳକା ଟଙ୍କା ଦେଶର ବିକାଶ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । ୧୯୬୭ ପର୍ଯ୍ୟନ୍ତ ଦେଶରେ ‘ଏକ ଦେଶ- ଏକ ନିର୍ବାଚନ’ ପ୍ରଚଳିତ ହେଉଥିଲା । ଯେଉଁଥିରେ ଦେଶର ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ହେଉଥିଲା । ମାତ୍ର ପରବର୍ତ୍ତୀ ସମୟରେ ସରକାରଙ୍କ ତ୍ରୁଟି, ବହିଷ୍କାର ଏବଂ ବିଭ୍ରାଟ ଭଳି ବିଭିନ୍ନ କାରଣରୁ ଏହି ନିର୍ବାଚନୀ ପରମ୍ପରା ଭାଙ୍ଗି ଯାଇଥିଲା ।

Get real time updates directly on you device, subscribe now.