ଉତ୍ତରକାଶୀ ସୁଡ଼ଙ୍ଗ ଅପରେସନର ପ୍ରକୃତ ହିରୋ ‘Arnold Dix’: ଭାରତୀୟ ଶ୍ରମିକଙ୍କ ଜୀବନ ବଞ୍ଚାଇବାକୁ ପୂଜା କରିଥିଲେ ଏହି ବିଦେଶୀ
ନୂଆଦିଲ୍ଲୀ: ଦୀର୍ଘ ୧୭ ଦିନ ପରେ ଉତ୍ତରାଖଣ୍ଡର ଉତ୍ତରକାଶୀର ସିଲକ୍ୟାରା ସୁଡ଼ଙ୍ଗରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ ୪୧ ଜଣ ଶ୍ରମିକ । ତେବେ ଏଥିପାଇଁ ଉଦ୍ଧାରକାରୀ ଟିମକୁ କମ୍ ସଂଘର୍ଷ କରିବାକୁ ପଡ଼ିନଥିଲା । ଆମେରିକାର ଆଗର ମେଶିନ ଖରାପ ହେବା ପରେ ‘ରାଟ୍ ହୋଲ ମାଇନର’ ହିଁ ଶ୍ରମିକଙ୍କ ପାଇଁ ବରଦାନ ସାଜିଥିଲା । ତେବେ ସୁଡ଼ଙ୍ଗରୁ ଶ୍ରମିକଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ପ୍ରକୃତ ହିରୋ ହେଉଛନ୍ତି ଭୂତଳ ଓ ପରିବହନ ଭିତ୍ତିଭୂମି ଏକ୍ସପର୍ଟ ‘ଆର୍ଣ୍ଣୋଲ୍ଡ ଡିକ୍ସ’ ।
ଡିକ୍ସଙ୍କ ନେତୃତ୍ୱରେ ଆଜି ଉଦ୍ଧାରକାରୀ ଦଳ ୪୧ ଜଣ ଶ୍ରମିକଙ୍କୁ ନୂଆ ଜୀବନ ଦେବା ସହ ସାରା ଦେଶବାସୀଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି । ଏହି ୧୭ ଦିନିଆ ସଂଘର୍ଷ କାହାଣୀ ସତେ ଯେମିତି ଡିକ୍ସଙ୍କ ବିନା ଅଧୁରା । ଡିକ୍ସ ଇଣ୍ଟରନ୍ୟାସନାଲ ଟନେଲିଂ ଆଣ୍ଡ ଅଣ୍ଡରଗ୍ରାଉଣ୍ଡ ସ୍ପେସ ଆସୋସିଏସନର ଅଧ୍ୟକ୍ଷ ଅଟନ୍ତି । ଏହି କମ୍ପାନୀ ଅଣ୍ଡରଗ୍ରାଉଣ୍ଡ ନିର୍ମାଣ କାର୍ଯ୍ୟ ପାଇଁ ଆଇନ, ପରିବେଶ, ରାଜନୈତିକ ଓ ଅନ୍ୟ ବିପଦପୂର୍ଣ୍ଣ କାର୍ଯ୍ୟ ପାଇଁ ପରାମର୍ଶ ଦେଇଥାଏ ।
ନଭେମ୍ବର ମାସ ୨୦ ତାରିଖରେ ଡିକ୍ସ ଏହି ରେସକ୍ୟୁ ଅପରେସନରେ ସାମିଲ ହୋଇଥିଲେ । ତେବେ ଭାରତକୁ ସହାୟତା କରିବା ପାଇଁ ତାଙ୍କୁ ଭଲ ଲାଗୁଥିବା ସେ କହିଥିଲେ । ବିନମ୍ର ରହିବା ପାଇଁ ପାହାଡ଼ ଆମକୁ ଶିକ୍ଷା ଦେଇଥାଏ । କ୍ରିସମାସ ପୂର୍ବରୁ ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି ଡିକ୍ସ ପୂର୍ବରୁ କହିଥିଲେ । ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ୨୮ ତାରିଖ ଦିନ ସକାଳୁ ଡିକ୍ସ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହିତ ବାବା ବୌଖନାଗଙ୍କ ପୂଜା କରିଥିଲେ ।
ନିଜର ୩୦ ବର୍ଷର କ୍ୟାରିୟର ମଧ୍ୟରେ ଡିକ୍ସ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ସେ ଜଣେ ଇଞ୍ଜିନିୟର, ଓକିଲ ଓ ଜିଓଲୋଜିଷ୍ଟ ଅଟନ୍ତି । ସେ ମେଲବର୍ଣ୍ଣର ମୋନାଶ ୟୁନିଭରସିଟିରୁ ସାଇନ୍ସ ଓ ଲ’ରେ ଡିଗ୍ରୀ ହାସଲ କରିଛନ୍ତି । ସେ ୨୦୧୬ରୁ ୨୦୧୯ ମଧ୍ୟରେ ରେଡ କ୍ରେସେଣ୍ଟ ସୋସାଇଟି ପାଇଁ ଭଲିଣ୍ଟିଅର ଭାବେ କାମ କରିଥିଲେ । ୨୦୨୦ରେ ସେ ଲର୍ଡ ରବର୍ଟ ମେୟର ପିଟିର ବିକରୀ କ୍ୟୁସି କମ୍ପାନୀରେ ଯୋଗ ଦେଇଥିଲେ । ସେଠାରେ ସେ ଟେକନିକ ଓ ରେଗୁଲେଟରୀ ଉପରେ ପରାମର୍ଶ ଦେଇଥାନ୍ତି । ଶ୍ରମିକଙ୍କୁ ସୁଡ଼ଙ୍ଗରୁ ବାହାର କରିବା ପାଇଁ ସରକାରଙ୍କ ପକ୍ଷରୁ ଡିକ୍ସଙ୍କ ଡକାଯାଇଥିଲା ।