ଦୁର୍ଗ: ଛତିଶଗଡ ଦୁର୍ଗରେ ଏକ ଭୀଷଣ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ଆଇପିଏସ୍ ଅଧିକାରୀଙ୍କ ମାତାପିତା ଓ ଆଇଙ୍କ ମୃତ୍ୟୁ ହୋଇଯାଇଛି । ଏହି ଦୁର୍ଘଟଣା ଜିଲ୍ଲାର ଜାମୁଲ ଥାନା କ୍ଷେତ୍ର ଅନ୍ତର୍ଗତ ଖେଦାମାରା ଗ୍ରାମ ନିକଟରେ ହୋଇଛି । ଏହି ଦୁର୍ଘଟଣାରେ ଯେଉଁ ଆଇପିଏସ୍ ପରିଜନଙ୍କ ମୃତ୍ୟୁ ହୋଇଯାଇଛି ତାଙ୍କ ପୋଷ୍ଟିଂ ଲଦାଖରେ ହୋଇଛି ଓ ତାଙ୍କ ନାମ ପି ଡି ନିତ୍ୟା । ଆଜି ପୋଲିସ ଏ ବିଷୟରେ ସୂଚନା ଦେଇଛି ।
ପୋଲିସ କହିଛି କାର୍ ଓ ଟ୍ରକ ପରସ୍ପର ସହ ଭୀଷଣ ଜୋରରେ ପିଟିହେବା ଦ୍ୱାରା ଲେହ ଜିଲ୍ଲାର ପୋଲିସ ଅଧୀକ୍ଷକ ପିଡି ନିତ୍ୟାଙ୍କ ମା ପି ଶାନ୍ତି(୬୦), ପିତା ପି ଭେଙ୍କଟରତ୍ନମ(୬୫) ଓ ତାଙ୍କ ୮୦ ବର୍ଷୀୟା ଆଇଙ୍କର ଦେହାନ୍ତ ହୋଇଯାଇଛି । ଭିଲ୍ଲାଇ ସହର ସ୍ମୃତି ନଗର ନିବାସୀ ପୁଲିସ ଅଧିକାରୀଙ୍କ ମାତାପିତା ଓ ଆଈ କୌଣସି କାମରେ ଜିଲ୍ଲାର ବେରଲା ଗ୍ରାମ ଯାଉଥିଲେ । କାମ ସାରି ଫେରିବା ସମୟରେ ରାତି ପ୍ରାୟ ୯ଟା ସମୟରେ ସେମାନଙ୍କ କାର୍ ଏକ ଟ୍ରକ ସହ ପିଟି ହୋଇଯାଇଥିଲା । ଏହି ଦୁର୍ଘଟଣାରେ କାର୍ ମଧ୍ୟରେ ଥିବା ସମସ୍ତ ଯାତ୍ରୀ ଗୁରୁତର ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଡାକ୍ତରଖାନା ପହଞ୍ଚାଇଥିଲା । କିନ୍ତୁ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଦୁର୍ଘଟଣା ପରେ ପୋଲିସ ଟ୍ରକ ଚାଳକକୁ ଗିରଫ କରିଛି ଓ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି । ପୋଲିସ ଅଧିକାରୀ ନିତ୍ୟାଙ୍କୁ ଘଟଣା ବିଷୟରେ ସୂଚନା ଦିଆଯାଇଛି ।