fbpx

ଚୀନ୍‌ର ରହସ୍ୟମୟ ରୋଗକୁ ନେଇ ରାଜ୍ୟ ସରକାର ଜାରିି କଲେ ଆଲର୍ଟ, କରୋନା ନିୟମ ପାଳନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ:ଚୀନ୍‌ରେ ଶିଶୁ ଓ ଯୁବକଙ୍କୁ ଶିକାର କରୁଥିବା ରହସ୍ୟମୟ ଜ୍ୱର ଓ ନିମୋନିଆକୁ ନେଇ କେନ୍ଦ୍ର ସରକାର ରାଜ୍ୟକୁ ଆଲର୍ଟ କରିଛନ୍ତି । ଏହାକୁ ସମସ୍ତ ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱର ସହ ନେଇଛନ୍ତି । ମହାରାଷ୍ଟ୍ର ସରକାର ତ ପୁଣି ଥରେ କୋଭିଡ୍ ପ୍ରୋଟୋକଲ ଲାଗୁ କରିବା ପାଇଁ ପ୍ରସ୍ତୁତ ହେଲେଣି । ଏହା ବ୍ୟତିତ ହରିୟାଣା, ରାଜସ୍ଥାନ, ଗୁଜରାଟ, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ତାମିଲନାଡୁ ସରକାର ମଧ୍ୟ ସତର୍କ ହୋଇଯାଇଛନ୍ତି । ରାଜ୍ୟ ସରକାର ସମସ୍ତ ହସ୍‌ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ୱାସକ୍ରିୟା ସମସ୍ୟା ଜନିତ ରୋଗୀଙ୍କର ସଠିକ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତିତ ଜିଲ୍ଲା ସ୍ତରରେ ନମୂନା ବି ସଂଗ୍ରହ ହେବ ଓ ପରୀକ୍ଷଣ ଲାଗି ଲ୍ୟାବ ପଠାଯିବ ।

କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକମାନଙ୍କୁ ପାଣିପାଗ ପରିବର୍ତ୍ତନ ଜନିତ ଜ୍ୱରରରୁ ସତର୍କ ରହିବାକୁ ସଚେତନ କରାଉଛନ୍ତି । କାଶିବା ଓ ଛିଙ୍କିବା ସମୟରେ ପାଟିକୁ ଢାଙ୍କି ରଖିବାକୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତିତ ହାତକୁ ଲଗାତର ଧୋଇବାକୁ ମଧ୍ୟ କୁହାଯାଉଛି । ଭିଡ ସ୍ଥାନକୁ ମାସ୍କ ପିନ୍ଧି ଯିବାକୁ କୁହାଯାଉଛି । ରାଜସ୍ଥାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଆଡଭାଇଜରୀ ଜାରି କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏବେ କୌଣସି ଏମର୍ଜେନ୍ସୀ ନ ଥିଲେ ବି ସତର୍କ ରହିବା ଜରୁରୀ ।

ଗୁଜରାଟ ସରକାର ମଧ୍ୟ ଚୀନ୍‌ର ରହସ୍ୟମୟ ରୋଗକୁ ନେଇ ସତର୍କ ହୋଇଯାଇଛି । କରୋନା ସମୟରେ ପ୍ରସ୍ତୁତ ହୋଇଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ କରି ରଖିିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତରାଖଣ୍ଡ ସରକାର ମଧ୍ୟ ଶ୍ୱାସକ୍ରିୟାରେ ସମସ୍ୟା ଜନିତ ମାମଲାକୁ ନେଇ ଆଲର୍ଟ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଉତ୍ତରାଖଣ୍ଡରେ ଏଥିପାଇଁ ଚିନ୍ତା ଅଧିକ କାହିଁକି ନା ରାଜ୍ୟର ଚମୋଲି, ଉତ୍ତରକାଶୀ, ପିଥୌରାଗଡ ଚୀନ୍ ସୀମାର ଅଧିକ ନିକଟତର । ହରିୟାଣା ଓ ତାମିଲନାଡୁ ସରକାର ମଧ୍ୟ ସମସ୍ତ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.