ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ)ର ଅଧ୍ୟକ୍ଷ ଏସ.ସୋମନାଥ ଗଗନଯାନକୁ ନେଇ ଏକ ବଡ଼ ଅପଡେଟ ଦେଇଛନ୍ତି । ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାନ ମିଶନ୍ ‘ଗଗନଯାନ’ ପାଇଁ ସିଲେକ୍ଟ ହୋଇଥିବା ଅନ୍ତରୀକ୍ଷ ଯାତ୍ରୀ ପ୍ରସ୍ତୁତ ରହିଥିବା ବେଳେ ସେମାନେ ୨୦୨୫କୁ ଅପେକ୍ଷା କରି ରହିଛନ୍ତି । ‘ଗଗନଯାନ’ ମିଶନ ପାଇଁ ୪ ଜଣ ଅନ୍ତରୀକ୍ଷ ଯାତ୍ରୀଙ୍କୁ ସ୍ପେସକୁ ପଠାଇ ପୁଣିଥରେ ପୃଥିବୀକୁ ଫେରାଇ ଆଣିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ତେବେ ଇସ୍ରୋର ଏହି ମିଶନ ସଫଳ ହେବା ରାସ୍ତାରେ ଅନେକ ଗୁଡ଼ିଏ ପ୍ରତିବନ୍ଧକ ରହିପାରେ । ଏହାକୁ ନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ.ସୋମନାଥ ।
ସୋମନାଥ କହିଛନ୍ତି ଯେ, ଇସ୍ରୋ ଏହି ମିଶନକୁ ସମ୍ଭବ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ବିକଶିତ କରିବାକୁ ଦିନ-ରାତି କାମ କରାଯାଉଛି । ସେ କହିଛନ୍ତି ଯେ, ପ୍ରଥମ ମିଶନ୍ ପାଇଁ ୪ ଜଣଙ୍କୁ ଚୟନ କରାଯାଇଛି । ତେବେ ଏମାନଙ୍କୁ ୨୦୨୫ ସୁଦ୍ଧା ଅନ୍ତରୀକ୍ଷକୁ ପଠାଯାଇ ପୁଣିଥରେ ସୁରକ୍ଷିତ ଭାବରେ ପୃଥିବୀକୁ ଫେରାଇ ଆଣିବା ପାଇଁ ଲକ୍ଷ୍ୟ ରଖିଛି ଇସ୍ରୋ । ସୋମନାଥ ଆହୁରି କହିଛନ୍ତି ଯେ, ଏହାକୁ ସମ୍ଭବ କରିବା ପାଇଁ ଆସନ୍ତା ଦିନରେ ଅନେକ ଜ୍ଞାନକୌଶଳ ବିକଶିତ କରିବା ଆବଶ୍ୟକ ରହିଛି । ଇସ୍ରୋରେ ଏହାକୁ ସାକାର କରିବାକୁ ଦିନ-ରାତି କାମ କରାଯାଉଛି । ଗତ କିଛି ବର୍ଷରେ ଏଥିପାଇଁ ଅନେକ ଜ୍ଞାନକୌଶଳ କୁ ନୂଆ ଭାବରେ ବିକଶିତ କରା ଯାଇଥିବା କହିଛନ୍ତି ଇସ୍ରୋ ମୁଖ୍ୟ ।
ଏହାପରେ ଇସ୍ରୋର ଚିଫ୍ ଏସ.ସୋମାଥ କହିଛନ୍ତି, ଆଗାମୀ ଦିନରେ ମାନବ ସହିତ ଅନେକ ମିଶନ୍ ଦେଖିବାକୁ ମିଳିବ ଏବଂ ପୁଣିଥରେ ଭାରତୀୟଙ୍କୁ ଅନ୍ତରୀକ୍ଷକୁ ପଠାଯିବ । ଏଥିପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ଅନ୍ତରୀକ୍ଷ ଯାତ୍ରୀ । ଏହାବ୍ୟତୀତ ଏକ ଅନ୍ତରୀକ୍ଷ ଷ୍ଟେସନ ନିର୍ମାଣ କରିବା ପାଇଁ ମଧ୍ୟ ଇସ୍ରୋ ଯୋଜନା କରୁଛି । ଏହା ବୈଜ୍ଞାନିକ ଏବଂ ଉନ୍ନତ ଜ୍ଞାନକୌଶଳ ପାଇଁ ବିଭିନ୍ନ କ୍ଷେତ୍ରରେ କାମ କରିବା ଜରୁରୀ ଅଟେ । ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଯାନ-୩ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ଏସ.ସୋମନାଥ ।