ଓଡ଼ିଆମାନଙ୍କର ବାର ମାସରେ ତେର ପର୍ବ । ଓଡ଼ିଆ ପାଞ୍ଜି ଅନୁସାରେ ମାର୍ଗଶୀର ମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପର୍ବ ପାଳନ ହୋଇଥାଏ । ଏହି ଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘାୟୁ ପାଇଁ କାମନା କରାଯାଏ । ଓଡ଼ିଶାର ଏହି ପାରମ୍ପରିକ ପର୍ବ ସୌଭାଗିନି ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପନାଶିନୀ ଅଷ୍ଟମୀ ଭାବେ ଜଣାଶୁଣା । ପୂର୍ବରୁ ମାର୍ଗଶୀର ମାସରୁ ବର୍ଷ ଆରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଏ ।
ଓଡ଼ିଆ ପରମ୍ପରା ଅନୁଯାୟୀ ମାମୁଁମାନେ ଜ୍ୟେଷ୍ଠ ସନ୍ତାନର ‘ପଢ଼ୁଆଁ’ କରିବାର ବିଧି ରହିଛି । ଜ୍ୟେଷ୍ଠ ସନ୍ତାନର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ବିଶେଷ ବିଧିକୁ ‘ପଢ଼ୁଆଁ’ ହେବା କହିଥାନ୍ତି । ମାମୁଁ ଘରୁ ନୂଆ ଲୁଗା, ମିଠା ଓ ଅନ୍ୟାନ୍ୟ ସାମଗ୍ରୀ ଭାର ଆସିଥାଏ । ସେଥିପାଇଁ ଶ୍ରଦ୍ଧା ଓ ପରିହାସରେ ମାମୁଁମାନଙ୍କୁ ‘ଅଷ୍ଟମୀ ବନ୍ଧୁ’ ବୋଲି କୁହାଯାଏ । ତେବେ କେତେକାଂଶରେ ମା’ମାନେ ଫୁଲ, ଚନ୍ଦନ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ନେଇ ବନ୍ଦାପନା କରିଥାନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହ ମାତା ପିତା ଓ ଗୁରୁଜନମାନଙ୍କ ଆଶୀର୍ବାଦ ନେଇଥାନ୍ତି । ଜ୍ୟେଷ୍ଠ ସନ୍ତାନମାନଙ୍କ ଉପରେ ପରିବାରର ଦାୟିତ୍ୱ ରହିଥାଏ । ଏହି ବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହତ ରହିଛି । ତେଣୁ ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରଥମାଷ୍ଟମୀ ପର୍ବ ପାଳନ ହୋଇଥାଏ । ପ୍ରଥମାଷ୍ଟମୀର ବିଶେଷତ୍ୱ ହେଉଛି ଏଣ୍ଡୁରି ପିଠା । ଏଥିରେ ହଳଦୀ ପତ୍ରର ବ୍ୟବହାର ହୋଇଥାଏ । ତେଣୁ ଏଣ୍ଡୁରି ପିଠା ଅତ୍ୟନ୍ତ ସୁସ୍ୱାଦୁ, ରୁଚିକର ଓ ସୁବାସିତ ହୋଇଥାଏ । ଅନ୍ୟ କୌଣସି ପର୍ବରେ ହଳଦୀ ପତ୍ର ବ୍ୟବହାର ହୋଇନଥାଏ । ଓଡ଼ିଶାର ପୁରପଲ୍ଲୀରେ ପ୍ରଥମାଷ୍ଟମୀ ସହ କାଞ୍ଜିଅଁଳା ଓଷା ମଧ୍ୟ ପାଳନ ହୋଇଥାଏ । ଘରର ସନ୍ତାନମାନଙ୍କ ମଙ୍ଗଳକାମନା କରି ଷଠୀ ଦେବୀଙ୍କ ପାଖରେ ଶୁଭମନାସୀଥାନ୍ତି ମାଆମାନେ ।
ପ୍ରଥମାଷ୍ଟମୀ ଦିନ ଲିଙ୍ଗରାଜ ମହାପ୍ରଭୁ ତାଙ୍କ ମାମୁଁ ଘର ‘କପାଳି ମଠ’କୁ ପଢ଼ୁଆଁ ହେବା ପାଇଁ ଯାଇଥାନ୍ତି । ଏହି ମଠର ଆରାଧ୍ୟ ଦେବତା ହେଉଛନ୍ତି ‘ବରୁଣେଶ୍ୱର’ ଓ ‘ବନଦେବ’ । ଏହି ମଠ ହତାରେ ଥିବା ପାପନରଶିନୀ ପୁଷ୍କରିଣୀର ଜଳ ପ୍ରଥମାଷ୍ଟମୀ ଦିନ ପାନ କଲେ ସମସ୍ତ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି ।