ବିଶ୍ୱାସ ନହେଲେ ବି ସତ: ଏହି ଦେଶରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ମାତ୍ର ୧ଟଙ୍କା ୬୭ ପଇସା

ନୂଆଦିଲ୍ଲୀ: ଆମ ଏଇ ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠି ମୁଦ୍ରାସ୍ଫୀତି ସବୁଠାରୁ ଉଚ୍ଚରେ ରହିଛି । ଏଠାରେ ଖାଦ୍ୟପେୟର ଦରଦାମ୍ ଆକାଶଛୁଆଁ । କିନ୍ତୁ ପେଟ୍ରୋଲର ମୂଲ୍ୟ ସବୁଠାରୁ କମ୍ ରହିଛି । ଏଠାରେ ଯେତେ ଶସ୍ତାରେ ପେଟ୍ରୋଲ ମିଳିଥାଏ ଏତେ ଶସ୍ତାରେ ଆଉ କେଉଁଠାରେ ବି ପେଟ୍ରୋଲ ମିଳି ନ ଥାଏ । ଏହି ଦେଶ ଦକ୍ଷିଣ ଆମେରିକାରେ ରହିଛି ଓ ଏହାର ନାମ ଭେନେଜୁଏଲା । ଏଠାରେ ଲୋକମାନଙ୍କୁ ଖାଦ୍ୟପଦାର୍ଥ ଲାଗି ବେଶ୍ ସଂଘର୍ଷ କରିବାକୁ ପଡିଥାଏ ।

ଏକ ରିପୋର୍ଟ ଅନୁଯାୟୀ ଭେନେଜୁଏଲାରେ ବିଶ୍ୱର ମୋଟ ଅଶୋଧିତ ତୈଳର ୧୮.୨% ଅଂଶ ରହିଛି । ଏହି କାରଣରୁ ଏଠାରେ ପେଟ୍ରୋଲର ମୂଲ୍ୟ ବହୁତ କମ୍ ରହିଛି । ଏଠାରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ମାତ୍ର ୧ଟଙ୍କା ୬୭ ପଇସା ଯାହା ଏକ ଲିଟର ପାଣିର ମୂଲ୍ୟ ଠାରୁ ବି କମ୍ । ଏପରି ସ୍ଥିତିରେ ଆପଣଙ୍କୁ ୧୦ ଲିଟର ଟାଙ୍କି ଫୁଲ୍ କରିବାକୁ ହେଲେ ମାତ୍ର ୧୬ ଟଙ୍କା ୭ ପଇସା ଦେବାକୁ ହେବ ।

ଏକଦା ଏହି ଦେଶ ସବୁଠାରୁ ଧନୀ ଦେଶ ତାଲିକାରେ ଥିଲା । କିନ୍ତୁ ଆଜି ଏଠାରେ ଦରଦାମ୍ ସବୁଠାରୁ ଅଧିକ ରହିଛି । ଖାଦ୍ୟପେୟର ଦର ଏତେ ଅଧିକ ରହିଛି ଯେ, ବହୁ ଲୋକ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଛନ୍ତି । ଏହି କାରଣରୁ ବହୁ ଲୋକ ଦେଶ ବି ଛାଡୁଛନ୍ତି । କରୋନା ମହାମାରୀ ପରେ ଦେଶରେ ମୁଦ୍ରାସ୍ଫୀତି ଆକାଶଛୁଆଁ ହୋଇଛି । ୧୯୯୯ ପରଠାରୁ ଦେଶ ଆମେରିକା ସହ ସଂପର୍କ ତୁଟାଇବା ପରେ ଦେଶର ଆର୍ଥିକ ଅବସ୍ଥା ରସାତଳଗାମୀ ହୋଇଛି ।