ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇବେ ଡାଟା ଏଣ୍ଟ୍ରି ଅପରେଟର: ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ନିକଟରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଓ ଜୁନିୟର ଷ୍ଟେନୋଗ୍ରାଫର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଏକ ବଡ଼ ସୁଯୋଗ । ରାଜ୍ୟ ହାଇକୋର୍ଟ ପକ୍ଷରୁ ଜୁନିୟର ଗ୍ରେଡ ଟାଇପିଷ୍ଟ / ଡାଟା ଏଣ୍ଟ୍ରି ଅପରେଟର ପଦ ପାଇଁ ନୋଟିଫିକେସନ ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଯୋଗ୍ୟ ପ୍ରାର୍ଥୀମାନେ ଡିସେମ୍ବର ମାସ ୮ ତାରିଖରୁ ୨୭ ତାରିଖ ମଧ୍ୟରେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ପ୍ରାର୍ଥୀଙ୍କୁ ୧୯,୯୦୦- ୬୩,୨୦୦/- ଲେବଲ-୪ ସ୍କେଲ ପେ’ ଅନୁସାରେ ବେତନ ପ୍ରଦାନ କରାଯିବ । ୟୁଆର, ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅନୁସୂଚିତ ଜାତି (ଏସି) ଓ ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ ।

ଚଳିତ ବର୍ଷ ୬ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏସସି, ଏସଟି, ଏସଇବିସି ଓ ମହିଳା ପ୍ରାର୍ଥୀଙ୍କ କ୍ଷେତ୍ରରେ ବୟସ ୫ ବର୍ଷ କୋହଳ କରାଯିବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାୟରୁ ଯେ କୌଣସି ବିଷୟରେ ସ୍ନାତକ ପାସ କରିବା ସହିତ କମ୍ପ୍ୟୁଟରରେ ପ୍ରତି ମିନିଟରେ ୪୦ଟି ଶବ୍ଦ ଟାଇପିଂ କରିପାରୁଥିବା ଆବଶ୍ୟକ । ଏଥିସହିତ ପ୍ରାର୍ଥୀ କମ୍ପୁଟରରେ ପିଜିଡିସିଏ କୋର୍ସ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ୫୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଏସସି, ଏସଟି ଓ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯିବ । ପ୍ରିଲିମିନାରୀ, ଭାଷା ପରୀକ୍ଷା, କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ, ମୁଖ୍ୟ ଲିଖିତ ପରୀକ୍ଷା, ସାକ୍ଷାତକାର ଆଦି ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ନୋଟିଫିକେସନ ଲିଙ୍କ: https://www.orissahighcourt.nic.in/recruitment-corner-pdf-view/179/