ଭଜନ ଲାଲ ଶର୍ମାଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ କରାଗଲା: ରାଜସ୍ଥାନ ପାଇଁ ବିଜେପିର ରହିଛି ୧୦ଟି ଗୁପ୍ତ ରଣନୀତି

ନୂଆଦିଲ୍ଲୀ: ଛତିଶଗଡ଼ ଓ ମଧ୍ୟପ୍ରଦେଶ ପରେ ରାଜସ୍ଥାନ ପାଇଁ ମଧ୍ୟ ସମାନ କାର୍ଡ ଖେଳିଛି ବିଜେପି । ଏହି ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଜଣେ ନୂଆ ଚେହେରାକୁ ବିଜେପି ବାଛିଥିବା ବେଳେ ପ୍ରତି ରାଜ୍ୟରେ ୨ ଜଣ ଲେଖାଏଁ ଉପମୁଖ୍ୟମନ୍ତ୍ର ମଧ୍ୟ ଦାୟିତ୍ୱ ଗ୍ରହଣ କରିବେ । ସିଏମ୍ ପଦ ପାଇଁ ରାଜସ୍ଥାନରେ ଦୁଇଥରର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ, ଗଜେନ୍ଦ୍ର ସିଂହ ଶେଖାୱତ, ଅଶ୍ୱିନୀ ବୈଷ୍ଣବଙ୍କ ପରି ଅନେକ ଦାବିଦାଦାର ରହିଥିବା ବେଳେ ଦଳ ଭଜନ ଲାଲ ଶର୍ମାଙ୍କୁ କାହିଁକି ବାଛିଲା ତାହା ଏବେ ଜାଣିବା ଆବଶ୍ୟକ ।

୧- ଛତିଶଗଡ଼ରେ ଆଦିବାସୀ ନେତା ବିଷ୍ଣୁଦେଓ ସାଏ, ମଧ୍ୟପ୍ରଦେଶରେ ପଛୁଆ ବର୍ଗ ନେତା ମୋହନ ଯାଦବଙ୍କ ପରେ ରାଜସ୍ଥାନ ପାଇଁ ବ୍ରାହ୍ମଣ ନେତା ଭଜନ ଲାଲଙ୍କୁ ବଛା ଯାଇଛି । ଭଜନ କେବଳ ନିଜ ରାଜ୍ୟରେ ସୀମିତ ନରହି ଦଳ ପାଇଁ କାର୍ଯ୍ୟ କରିବେ ବୋଲି କୁହାଯାଉଛି ।

୨- ରାଜସ୍ଥାନରେ ବ୍ରାହ୍ମଣ ଭୋଟ ୮ ପ୍ରତିଶତ, ୟୁପିରେ ୧୦-୧୨ ପ୍ରତିଶତ, ହିମାଚଳ ପ୍ରଦେଶରେ ୧୮ ପ୍ରତିଶତ, ମଧ୍ୟପ୍ରଦେଶରେ ୬ ପ୍ରତିଶତ ଓ ବିହାରରେ ୪ ପ୍ରତିଶତ ରହିଛି । ଛତିଶଗଡ଼ରେ ଆଦିବାସୀ ଓ ମଧ୍ୟପ୍ରଦେଶରେ ଓବିସି ମୁଖ୍ୟମନ୍ତ୍ରୀ ବାଛିବା ପରେ ବିଜେପି ରାଜସ୍ଥାନ ପାଇଁ ଜଣେ ବ୍ରାହ୍ମଣ ଚେହେରାର ସନ୍ଧାନରେ ରହିଥିଲା ।

୩- ୩ଟି ରାଜ୍ୟରେ ଜାତିଗତ କାର୍ଡ ଖେଳି ବିଜେପି ୨୦୨୪ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରିଛି । ତିନୋଟି ରାଜ୍ୟରେ ୩ଟି ଜାତିର ନେତାଙ୍କୁ ବାଛିବା ଫଳରେ ନିଜ ରାଜ୍ୟ ସହ ପଡ଼ୋଶୀ ରାଜ୍ୟର ଭୋଟ ମଧ୍ୟ ବିଜେପି ଖାତାକୁ ଯିବାର ସମ୍ଭାବନା ରହିଛି ।

୪- ଭଜନ ଲାଲଙ୍କୁ ମୁଖ୍ୟମନ୍ତ୍ରୀ କରିପରେ ପଛରେ କେବଳ ଜାତି ଆଧାରରେ ଭୋଟ ବ୍ୟାଙ୍କ ହାତେଇବା ଦଳର ଲକ୍ଷ୍ୟ ନୁହେଁ । ଏହି ଗୋଟି ଚାଳନା କରି ବିଜେପି ଆଞ୍ଚଳିକ ଓ ଦଳିତଙ୍କୁ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିବା ଚକ୍କରରେ ରହିଥିବା କୁହାଯାଉଛି ।

୫- ବିଜେପି ପୁଣି ଦେଶର ରାଜନୀତିରେ ବ୍ରାହ୍ମଣଙ୍କୁ ଆଗକୁ ଆଣିଛି । ଏହା ମାଧ୍ୟମରେ ଦଳ ସେମାନଙ୍କର ବୋଲି ବ୍ରାହ୍ମଣ ସମ୍ପ୍ରଦାୟଙ୍କୁ ସନ୍ଦେଶ ଯିବ । ତେବେ ଦଳର ଏହି ପଦକ୍ଷେପ ଫଳରେ ଏବେ ସମାଜବାଦୀ ପାର୍ଟି, ଆରଜେଡି ଓ କଂଗ୍ରେସ ଚିନ୍ତାରେ ପଡ଼ିଯାଇଛନ୍ତି ।

୬- ପୁରୁଣା ସମୟରୁ କଂଗ୍ରେସ ବ୍ରାହ୍ମଣ, ଦଳିତ ଓ ମୁସଲମାନଙ୍କ ଭୋଟ ନେଇ ଆସୁଛି । ବ୍ରାହ୍ମଣଙ୍କୁ କଂଗ୍ରେସର କୋର ଭୋଟର୍ସ ଭାବେ ଗ୍ରହଣ କରାଯାଇଥାଏ । ଭଜନ ଲାଲଙ୍କ ପରି ଜଣେ ବ୍ରାହ୍ମଣ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଏବେ କଂଗ୍ରେସକୁ ଝଟକା ଦେବା ସହିତ ନିଜର ସଂଗଠନକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ରହିଛି ।

୭- ୨୦୨୪ ଲୋକସଭା ନିର୍ବାଚନର ପୂର୍ବ ପ୍ରସ୍ତୁତି ସ୍ୱରୂପ ବିଜେପି ବ୍ରାହ୍ମଣ, ଯାଦବ ଓ ଦଳିତଙ୍କ ନିକଟରେ ଅଧିକ ଗ୍ରହଣୀୟ ହେବାକୁ ପ୍ରୟାସ ଆରମ୍ଭ କରିଛି । ସପା ଓ ଆରଜେଡି ପାଇଁ ଯାଦବ ସମ୍ପ୍ରଦାୟର କୋର ଭୋଟର ସାବ୍ୟସ୍ତ ହେଉଥିବା ବେଳେ ଦଳ ମଧ୍ୟପ୍ରଦେଶରେ ଜଣେ ଯାଦବ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । କହିବାକୁ ଗଲେ ଗୋଟିଏ ଫର୍ମୂଲାର ୩ଟି ଭାଗକୁ ଦଳ ୩ ରାଜ୍ୟରେ ପ୍ରୟୋଗ କରିଛି ।

୮- ରାଜସ୍ଥାନରେ ବ୍ରାହ୍ମଣଙ୍କ ଜନସଂଖ୍ୟା ପାଖାପାଖି ୭ରୁ ୧୨ ପ୍ରତିଶତ ରହିଥିବା ବେଳେ ଜାଟ ଓ ରାଜପୁତଙ୍କ ସଂଖ୍ୟା ମଧ୍ୟ ପାଖାପାଖି ସମାନ ରହିଛି । ବିଧାନସଭା ନିର୍ବାଚନରେ ବିଜେପି ୨୦ ଜଣ ବ୍ରାହ୍ମଣଙ୍କୁ ଟିକେଟ ଦେଇଥିବା ବେଳେ କଂଗ୍ରେସ ୧୬ ଜଣଙ୍କୁ ଦେଇଥିଲା । ତେବେ ଭଜନ ଲାଲଙ୍କୁ ମୁଖ୍ୟମନ୍ତ୍ରୀ କରି ଦଳ ଏହି ସମ୍ପ୍ରଦାୟଙ୍କ ନିକଟତର ହେବାକୁ ପ୍ରୟାସ କରିଛି ।

୯- ଗତ ୨୦୧୯ ଲୋକସଭା ନିର୍ବାଚନରେ ଦଳ ଏହି ୩ଟି ରାଜ୍ୟର ମୋଟ ୬୫ଟି ଆସନରୁ ୬୧ଟିରେ ଜିତିଥିଲା । ତେଣୁ ପୁରୁଣା ପ୍ରଦର୍ଶନ ବଜାୟ ରଖିବାକୁ ବିଜେପି ନୂଆ ରଣନୀତି ଆପଣାଇ ଥାଇପାରେ ।

୧୦- ନିକଟରେ ସମାପ୍ତ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେପିଠାରୁ ୧୦ ଲକ୍ଷରୁ ଅଧିକ ଭୋଟ ପାଇଥିଲା । ଏହି ଭୋଟ ହାରର ପ୍ରଭାବ ଯଦି କିଛି ଆସନରେ ପଡ଼େ, ତେବେ ଦଳର ସିଟ ସଂଖ୍ୟାରେ ପରିବର୍ତ୍ତନ ହୋଇପାରେ । ତେଣୁ ଏହି ୩ଟି ରାଜ୍ୟ ଉପରେ ଦଳ ଏବେ ଅଧିକ ଫୋକସ୍ କରିଛି ।