fbpx
BSKY
BJD YOUTH SKY
BJD MS SKY

ବଡ଼ ବାପାଙ୍କ ପୁଅର ନୃଶଂସ କାଣ୍ଡ: ପ୍ରେମିକାଙ୍କୁ ମାଡ଼ ମାରିବା ପରେ ଗାଡ଼ି ଚଢ଼ାଇଲା ପ୍ରେମିକ

ମୁମ୍ବାଇ: ଆଜି ମୁମ୍ବାଇରେ ଜଣେ ବଡ଼ ଅଧିକାରୀଙ୍କ ପୁଅ ନିଜ ପ୍ରେମିକା ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମୁମ୍ବାଇ ନିକଟସ୍ଥ ଥାନେ ଜିଲ୍ଲାରେ । ଏଠାରେ ଇନଷ୍ଟାଗ୍ରାମର ଇନଫ୍ଲୁଏନ୍ସର ତଥା ୨୬ ବର୍ଷିୟ ପ୍ରିୟା ସିଂ ନିଜ ପ୍ରେମିକଙ୍କ ବିରୋଧରେ ଏପରି ଗୁରୁତର ଅଭିଯୋଗ ଆଣିଛନ୍ତି । ପ୍ରିୟା ସିଂ ଅଭିଯୋଗ କରିଛନ୍ତି ଯେ ସୋମବାର ସକାଳେ ଜଣେ ବରିଷ୍ଠ ଅଧିକାରୀଙ୍କ ପୁଅ ଏବଂ ତାଙ୍କର ଦୁଇ ସାଙ୍ଗ ତାଙ୍କୁ ମାଡ଼ ମାରି ତାଙ୍କ ଉପରେ ସେମାନେ ଚଲାଉଥିବା ଏସୟୁବିକୁ ଚଢ଼ାଇ ଦେଇଥିଲେ ।

ପୋଲିସ କହିଛି ଯେ ଏହି ଘଟଣାରେ ପୀଡିତା ପ୍ରିୟା ସିଂ ଗୁରୁତର ଆହତ ହୋଇଛନ୍ତି । ବର୍ତ୍ତମାନ ସେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଥିବା ବେଳେ ପେଟ, ପିଠି ଏବଂ ହାତରେ ମଧ୍ୟ ଗୁରୁତର ଆଘାତ ଲାଗିଛି। ପ୍ରିୟାଙ୍କ ଅଭିଯୋଗ ଆଧାରରେ ସୋମବାର କସରବଡ଼ାବଲୀ ପୋଲିସ ଅଶ୍ୱଜିତ୍ ଗାଇକୱାଡ, ରୋମିଲ ପାଟିଲ ଏବଂ ସାଗର ଶେଲକେଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛି। ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ଏହି ମାମଲାରେ କାହାକୁ ଗିରଫ କରାଯାଇନଥିବା ଜଣାପଡ଼ିଛି ।

ପ୍ରିୟା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ସେ ଗାଇକୱାଡଙ୍କୁ ଭେଟିବା ପାଇଁ ସୋମବାର ସକାଳ ପ୍ରାୟ ୪.୩୦ ସମୟରେ କୋର୍ଟୟାର୍ନ ହୋଟେଲରେ ପହଞ୍ଚିଥିଲେ । ସେ ଦାବି କରିଛନ୍ତି ଯେ ଗାଇକୱାଡ ତାଙ୍କୁ କିଛି ଦିନ ହେବ ଅଣଦେଖା କରିଆସୁଥିଲା । ସେ ହୋଟେଲରୁ ବାହାରକୁ ଆସିବା ପରେ ସେଠାରେ ରାସ୍ତାରେ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା । ରାଗରେ ଗାଇକୱାଡ ପ୍ରିୟାଙ୍କୁ ଆକ୍ରମଣ କରି ତାଙ୍କ ହାତରେ କାମୁଡ଼ି ଦେଇଥିବା ପୋଲିସ କହିଛି। ପରେ, ଯେତେବେଳେ ପ୍ରିୟା ଏସୟୁଭିରୁ ତାଙ୍କ ବ୍ୟାଗ ଏବଂ ମୋବାଇଲ୍ ଆଣିବାକୁ ଯାଇଥିଲେ, ଶେଲକେ ଗାଡ଼ିର ଇଗ୍ନିସନ ସୁଇଚ ଅନ କରିଦେବାରୁ ସେ ରାସ୍ତାରେ ପଡ଼ିଯାଇଥିଲେ। ଏହା ପରେ ସେମାନେ ପ୍ରିୟାଙ୍କୁ କାର ଯୋଗେ ଧକ୍କା ଦେବା ପରେ ତାଙ୍କ ଡାହାଣ ଗୋଡ଼ରେ ଗାଡ଼ି ଚଢ଼ାଇ ସେଠାରୁ ଦ୍ରୁତ ଗତିରେ ଚାଲିଯାଇଥିଲେ ।

ପ୍ରିୟା ଏହା ମଧ୍ୟ କହିଛନ୍ତି ଯେ ଗାଇକୱାଡ ମାମଲାକୁ ଚାପି ଦେବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ । ତେଣୁ ସେ ଇନଷ୍ଟାଗ୍ରାମରେ ନିଜର କଷ୍ଟ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ତାଙ୍କ ଦେହରେ ହୋଇଥିବା ଆଘାତର ଫଟୋ ପୋଷ୍ଟ କରିଥିଲେ। ଏଥିସହ ସେ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି କଡ଼ା ଅଭିଯୋଗ ଲାଗୁ କରାଯାଇ ନାହିଁ । ଘଟଣା ଘଟିବାର ଚାରି ଦିନ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ପ୍ରିୟା ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ, ପ୍ରିୟାଙ୍କ ଅଭିଯୋଗକୁ ଅସ୍ୱୀକାର କରି ଗାଇକୱାଡ କହିଛନ୍ତି, ‘ଯାହା ଲେଖା ହୋଇଛି ତାହା ମିଥ୍ୟା ଅଟେ। ସେ ମୋ’ର କେବଳ ଜଣେ ବନ୍ଧୁ । ବାସ୍ତବରେ, ସେ ହୋଟେଲକୁ ମଦ୍ୟପାନ କରି ଆସିଥିଲେ ଯେଉଁଠାରେ ଆମେ ପାରିବାରିକ କାର୍ୟ୍ୟକ୍ରମରେ ବ୍ୟସ୍ତ ଥିଲୁ । ମୋତେ ତାଙ୍କ ସହ କଥା ହେବାକୁ ବାଧ୍ୟ କରିବାକୁ ଚେଷ୍ଟା କରିଥିଲେ । ଯେତେବେଳେ ମୁଁ ମନା କଲି, ସେ ମୋ ସହିତ ଦୁର୍ବ୍ୟବହାର କରିବାକୁ ଲାଗିଲେ। ଯେତେବେଳେ ମୋର ବନ୍ଧୁମାନେ ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କଲେ, ସେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପ୍ରିୟାଙ୍କୁ ଅଟକାଇବା ପାଇଁ ଶେଲକେ ଗାଡ଼ି ଷ୍ଟାର୍ଟ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେ ରାସ୍ତାରେ ପଡିଯାଇଥିଲେ। ଦୁର୍ଘଟଣା ଉଦ୍ଦେଶ୍ୟମୂଳକ ନୁହେଁ।”

Get real time updates directly on you device, subscribe now.