ଓଡ଼ିଶା ଭାସ୍କର: ପ୍ରସିଦ୍ଧ କେଦାରନାଥ ପୀଠଭଗବାନ ଶିବଙ୍କୁ ପାଇବାର ଏକ ମାର୍ଗ ବୋଲି କୁହାଯାଏ । ଏଠାରେ ମହାଦେବଙ୍କୁ ଦେଖିବା ଭାଗ୍ୟରେ ଥିଲେ ସଫଳ ହୋଇପାରେ । ଏହି ଜାଗା ଅତି ବିଚିତ୍ର । କାରଣ ବର୍ଷକ ଯାକ ବରଫର ଧଳା ଚାଦର ଘୋଡ଼ାଇ ହୋଇ ରହିଥାଏ କେଦାରନାଥଙ୍କ ପୀଠ । ତେବେ ଏଠାରେ ଯେବେ ଅତ୍ୟଧିକ ପରିମାଣରେ ତୁଷାରପାତ ହୁଏ, ଏଠାକୁ ଆସି ଦର୍ଶନ କରିବା ସମ୍ଭବ ହୋଇ ପାରେ ନାହିଁ । ତେଣୁ ଏହି ସମୟରେ ବାବା କେଦାରନାଥ ଅନ୍ୟ ଏକ ସ୍ଥାନରେ ଆବିର୍ଭାବ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ବୋଲି କୁହାଯାଇଛି । ଓଡ଼ିଶାର ଏହି ସ୍ଥାନକୁ ୬ ମାସ ମଧ୍ୟରେ ଲକ୍ଷ ଲକ୍ଷ ଭକ୍ତ ଆସୁଥିବା ଜାଣିବାକୁ ମିଳିଛି ।
କୁହାଯାଏ କେଦାରନାଥ ଭଳି ଓଡ଼ିଶାର ଏହି ପ୍ରସିଦ୍ଧ ସ୍ଥାନ ୬ ମାସ ପାଇଁ ଜଳମଗ୍ନ ରହିଥାଏ । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ମିନାଝୋଲାରେ ଥିବା ଶ୍ରୀ ସଂୟଭୁ ହରିହର ମୀନକେତନେଶ୍ୱରଙ୍କ ପୀଠ ମୀନାଝୋଲା । ଏଠାରେ ଉଭୟ ବିଷ୍ଣୁ ଓ ଶିବ ଦୁଇ ପ୍ରଭୁ ପୂଜା ପାଆନ୍ତି । ଏଠାକାର ନୈସର୍ଗିକ ପ୍ରାକୃତିକ ଭରା ପରିବେଶ ଜନମାନସକୁ ଆକୃଷ୍ଟ କରେ । ସଂସାରର ଦୁଃଖ ଲାଘବ କରିବା ପାଇଁ ଏକ ପଥର ଗହ୍ୱରରେ ଶ୍ରୀ ମୀନକେତନେଶ୍ୱର ବିରାଜମାନ ହୋଇଛନ୍ତି ।
ମାନ୍ୟତା ଅନୁସାରେ କେଦାରନାଥ କବାଟ ବନ୍ଦ ହେବା ପରେ ଶ୍ରୀ ମୀନକେତନଶ୍ୱରଙ୍କ ଦର୍ଶନ ଲାଭ ହୋଇଥାଏ । ମୀନକେତନେଶ୍ୱର ବର୍ଷକୁ ଛଅ ମାସ ନଦୀ ଜଳରେ ବୁଡି ରୁହନ୍ତି । ଏହି ପୀଠର ପୂର୍ବରେ ପ୍ରିସକାଲ୍ ପର୍ବତ, ପଶ୍ଚିମରେ ତ୍ରିବେଣୀ ସଂଗମ, ଉତ୍ତରରେ ମହୁ ପାହାଡ ଏବଂ ଦକ୍ଷିଣରେ ହାତୀବସା ପାହାଡ ଏହାର ଶୋଭା ବଢାଉଛନ୍ତି । ପାହାଡ ପାଦ ଦେଶରେ ରହିଛନ୍ତି ନନ୍ଦୀ । ଏହି ପୀଠଟି ରାୟଗଡାଠାରୁ ୧୦୦ କି.ମି. ଓ ଗୁଣପୁରରୁ ମାତ ୬୦ କି.ମି. ଦୂରରେ ଅବସ୍ଥିତ । ତେବେ ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ପଞ୍ଚାୟତ ସମିତି ତଥା ହନୁମନ୍ତପୁର ପଞ୍ଚାୟତ ପରିସରରେ ଏହି ପୀଠଟି ରହିଛି । ତେବେ ବଂଶଧାରା ନଦୀ, ଫଳଫଳିଆ ନଦୀ ତଥା ଚାଉଳଧୁଆ ନଦୀ ଏହି ସଂଗମରେ ଭକ୍ତ ପୂଣ୍ୟପ୍ରାତ୍ୟାର୍ଥେ ବୁଡ ପକାନ୍ତି ।
ବିଶେଷକରି ମାଘ ପୂର୍ଣ୍ଣମୀରେ ସମାପନ କରନ୍ତି । ଏଠାରେ ଏକ ସାଧନ ଗୁମ୍ଫା ମଧ୍ୟ ରହିଛି । ଏହି ଗୁମ୍ଫାରେ ଅନେକ ତପସ୍ୱୀ ନିଜର ଆଧ୍ୟାତ୍ମିକ କାର୍ଯ୍ୟ ସମ୍ପାଦନା କରନ୍ତି । ତେବେ ମୀନକେତନେଶ୍ୱର ଏକ ପଥର ଗର୍ଭରେ ଅବସ୍ଥାନ କରନ୍ତି । ଏଠାରେ ଗୋମୁଖ ଦେଇ ଜଳ ନିଷ୍କାସନ ହୁଏ ଏବଂ ଏହି ପବିତ୍ର ଜଳକୁ ଭକ୍ତମାନେ ପ୍ରସାଦ ଭାବରେ ଗ୍ରହଣ କରନ୍ତି । ଏହି ପୀଠର ଆଖପାଖରେ ବଟ, ଓସ୍ତ, ଅଁଳା, ଝିଡ ତଥା ମଦାଙ୍ଗ ଆଦି ବୃକ୍ଷ ଭରି ରହିଛି । ଏହି ବୃକ୍ଷ ବ୍ରହ୍ମା, ବିଷ୍ଣୁ ତଥା ମହେଶ୍ୱରଙ୍କ ପ୍ରତୀକ ବୋଲି କୁହାଯାଏ । ଏହି ପବିତ୍ର ବୃକ୍ଷରେ ଭକ୍ତମାନେ ଡୋରି ବାନ୍ଧି ନିଜ ମନସ୍କାମନା ପାଇଁ ଭଗବାନଙ୍କୁ ଗୁହାରି କରିଥାନ୍ତି ।