ଓଡିଶା ଭାସ୍କର: ଦାଦାବଟି ନ ଦେବାରୁ ବ୍ୟବସାୟୀଙ୍କୁ ହାଣିଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ସହରର ବିଚ୍ ବଜାରରେ ଦେଖା ଦେଇଛି ଏଭଳି ଏକ ଅଭାବନୀୟ ଘଟଣା। ନୂଆ ବର୍ଷ ପୂର୍ବରୁ ଫିଲ୍ମ ଷ୍ଟାଇଲରେ କିଛି ଅସାମାଜିକ ଯୁବକ ଏଭଳି ଆତଙ୍କ ଖେଳାଇଛନ୍ତି । ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟବସାୟୀଜଣକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତ କାଲି ରାତି ୯ଟା ସମୟରେ କେନ୍ଦ୍ରାପଡ଼ା ବଡ଼ ବଜାରରେ ଥିବା ଏକ କପଡ଼ା ସୋ ରୁମର ମାଲିକ ମିର ଖାଦୀମ ବକ୍ସ କ୍ୟାସ କାଉଣ୍ଟରରେ ବସିଥିଲେ। ସେହି ସମୟରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ମୁଖା ପିନ୍ଧା ଦୁର୍ବୃତ୍ତ ହାତରେ ବାଡ଼ି, ଓ ବିଭିନ୍ନ ମାରଣାସ୍ତ୍ର ଧରି ଶୋ’ ରୁମ୍ ଭିତରେ ପଶିଥିଲେ। ଏବଂ ସେଠାରେ ଉକ୍ତ ବ୍ୟବସାୟୀଙ୍କୁ ମିଳିତ ଭାବେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ତେବେ ପୂର୍ବରୁ ବ୍ୟବସାୟୀ ଜଣଙ୍କୁ କିଛି ଦୁର୍ବୁତ୍ତ ୧୦ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ। ଦାଦାବଟି ନ ଦେବାରୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ଅନ୍ୟପଟେ ପୋଲିସ ଏହି ଘଟଣାକୁ ନେଇ ତଦନ୍ତ ଚଳାଇଛି। ତେବେ ଗତକାଲି ଘଟଣାର ସମ୍ପର୍କରେ ଜାଣିବାକୁ ପାଇ ପୋଲିସର ଏକ ପେଟ୍ରୋଲିଂ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଥିଲା। ଏହି ସମୟରେ ଜଣେ ଦୁର୍ବୃତ୍ତଙ୍କୁ କାବୁ କରି ପୋଲିସ ପଚରାଉଚରା କରୁଛି ବୋଲି ସୂଚନା ମିଳୁଛି।