fbpx

ଜାତୀୟସ୍ତରର ସର୍ଭେକ୍ଷଣ ରିପୋର୍ଟ: ରାଜ୍ୟର ୩୦ ପ୍ରତିଶତ କ୍ଷୀରର ନମୂନା ନିମ୍ନମାନର, ପଚାସଢ଼ା ନଡ଼ାରେ ରହିଛି ‘ଆଫ୍ଲାଟକ୍ସିନ’ ଫଙ୍ଗସ୍, ବଢ଼ିପାରେ ଡାଇରିଆ ଓ ଅପପୁଷ୍ଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ଷୀର ଆମର ଦୈନନ୍ଦିନ ଜୀବନର ପୋଷଣର ଆବଶ୍ୟକତାକୁ ପୂରଣ କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ । ତେବେ ଆପଣମାନେ ପିଉଥିବା କ୍ଷୀରର ବିଶୁଦ୍ଧତାକୁ ନେଇ ଆସିଛି ଏକ ଭୟଙ୍କର ତଥ୍ୟ । ଏହା କେବଳ ଅପମିଶ୍ରଣ ମଧ୍ୟରେ ସୀମିତ ନରହି ବିଷାକ୍ତ ଆଡ଼କୁ ଚାଲିଗଲାଣି । ଜାତୀୟ ସ୍ତରରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଆସିଛି ଏଭଳି ଏକ ଚିନ୍ତାଜନକ ରିପୋର୍ଟ ।

ରାଜ୍ୟର ୩୦ ପ୍ରତିଶତ କ୍ଷୀରର ନମୂନା ନିମ୍ନମାନର ରହିଥିବା ବେଳେ କ୍ଷୀରରେ ରହିଥିବା ‘ଆଫ୍ଲାଟକ୍ସିନ’ ଫଙ୍ଗସକୁ ନେଇ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି । ପ୍ରତି ୧୦ ଲିଟରରୁ ଗୋଟିଏ ଲିଟର କ୍ଷୀର ପିଇବା ଅନୁପଯୋଗୀ ବୋଲି କୁହାଯାଉଛି । କ୍ଷୀରରେ ଆଫ୍ଲାଟକ୍ସିନ ରହିବା ଫଳରେ ତାହା ଛୋଟ ପିଲାଙ୍କ କ୍ଷେତ୍ରରେ ପେଟ ରୋଗ ବଢ଼ାଉଥିବା କୁହାଯାଇଛି । ପାଳ ବା କୁଟାରେ ଏହି ଆଫ୍ଲାଟକ୍ସିନ ଫଙ୍ଗସ୍ ସୃଷ୍ଟି ହୋଇଥାଏ । ବିଶେଷ କରି ବର୍ଷାଦିନେ ପଚି ଯାଇଥିବା ନଡ଼ାରେ ଏହା ଦେଖିବାକୁ ମିଳିଥାଏ । ତେବେ ଗୋପାଳକମାନେ ଏନେଇ ଅଜ୍ଞ ରହିଥିବା ବେଳେ ନିମ୍ନମାନର ନଡ଼ାକୁ ଗାଈ, ମଇଁଷିଙ୍କୁ ଖାଇବାକୁ ଦେଇଥାନ୍ତି । ତେଣୁ କ୍ଷୀରେ ଏହି ଆଫ୍ଲାଟକ୍ସିନର ଉପସ୍ଥିତି କ୍ଷତିକାରକ ହୋଇଥାଏ । ତେଣୁ ଗାଈଗୋରୁଙ୍କୁ ସବୁଜ ଚାରା ଦେବାର ଆବଶ୍ୟକତା ରହିଛି ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଜଣେ ପ୍ରଫେସରଙ୍କ ମତରେ, ପଚିସଢ଼ି ଯାଇଥିବା ନଡ଼ାରେ ଏହି ଆଫ୍ଲାଟକ୍ସିନ ଫଙ୍ଗସ ରହିଥାଏ । ବର୍ଷାଦିନେ ନଡ଼ାକୁଟାକୁ ପାଣିରେ ଧାଇ ଓ ଖରାରେ ଶୁଖାଇ ଗାଈଗୋରୁଙ୍କୁ ଦେବା ନେଇ ସଚେତନତା କରାଯାଉଛି । ରାଜ୍ୟରେ ଉପଲବ୍ଧ କ୍ଷୀରେ କେତେ ପରିମାଣରେ ଆଫ୍ଲାଟକ୍ସିନ ରହିଛି ସେ ବାବଦରେ କିଛି ତଥ୍ୟ ନାହିଁ । ଗୋପାଳକମାନେ ବିକ୍ରି କରୁଥିବା କ୍ଷୀରକୁ ସଂଗ୍ରହ କରି ପରୀକ୍ଷା କଲେ ଏହା ସ୍ପଷ୍ଟ ହୋଇ ପାରନ୍ତା ।

ତେବେ ଆଫ୍ଲାଟକ୍ସିନ ଯୁକ୍ତ କ୍ଷୀର ସେବନ କରିବା ଫଳରେ ରୋଗ ପ୍ରତିଷେଧକ କମ୍ ଥିବା ଶିଶୁଙ୍କଠାରେ ଫଙ୍ଗାଲ ଡାଇରିଆ, ଅପପୁଷ୍ଟି, ଓଜନ ହ୍ରାସ ଆସି ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ ବୋଲି ଜଣେ ଡାକ୍ତର କହିଛନ୍ତି । ଗତ ୨ ବର୍ଷରେ ପରୀକ୍ଷା ହୋଇଥିବା କ୍ଷୀର ନମୂନାରେ ଓଡ଼ିଶାର ସ୍ଥିତି ସେତେଟା ଭଲ ନଥିଲା । ୨୦୨୨ରେ ୫ଟି ନମୂନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୪ଟି ନମୂନା ଭଲ ରହିଥିଲା । ତେବେ ୨୦୨୩ରେ ୧୭ଟି ନମୂନା ପରୀକ୍ଷା କରାଯାଇଥିବା ବେଳେ ୪ଟି ନମୂନା ନିମ୍ନମାନର ଓ ଗୋଟିଏ ନମୂନା ଅସୁରକ୍ଷିତ ରହିଥିଲା । ଏହା ପରୀକ୍ଷା ହୋଇଥିବା କ୍ଷୀର ନମୂନାର ୩୦ ପ୍ରତିଶତ ଥିଲା ।

ସେହିପରି କ୍ଷୀର ଜାତୀୟ ଉତ୍ପାଦର ୧୬ଟି ନମୂନା ମଧ୍ୟରୁ ୭ଟି ନିମ୍ନାମାନର ରହିଥିବା ଜଣାପଡ଼ିଥିଲା । ନିକଟରେ ଦେଶବ୍ୟାପୀ କ୍ଷୀର ନମୂନା ପରୀକ୍ଷା କରାଯାଇଥିବା ବେଳେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଅପେକ୍ଷାକୃତ ଭଲ ରହିଥିବା ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫଏସଏସଏଆଇ) ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.