fbpx

ଆଜି ରାତି ସୁଦ୍ଧା ଶେଷ ହେବ ଶ୍ରୀକ୍ଷେତ୍ର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ, ୧୭ରେ ପ୍ରକଳ୍ପର ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାତି ସୁଦ୍ଧା ଶ୍ରୀକ୍ଷେତ୍ର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଚୂଡ଼ାନ୍ତ ପ୍ରସ୍ତୁତି ଚାଲିଛି । ଇତି ମଧ୍ୟରେ ଆନ୍ତଃ ପ୍ରଦକ୍ଷିଣ ମାର୍ଗ କାର୍ଯ୍ୟ ଶେଷ ହୋଇଛି ବୋଲି ଓଡିଶା ସେତୁ ଓ ନିର୍ମାଣ ନିଗମ ପକ୍ଷରୁ ସୂଚନା ମିଳିଛି । ଶ୍ରୀଜଗନ୍ନାଥ ବଲ୍ଲଭ ମଠରୁ ଶ୍ରୀମନ୍ଦିର ଦୋଳବେଦୀ କୋଣ ପର୍ଯ୍ୟନ୍ତ ନୂତନ ରାସ୍ତାର କାର୍ଯ୍ୟ ୧୭ ତାରିଖ ପୂର୍ବରୁ ଶେଷ କରାଯାଇ ତାହାକୁ କାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଶ୍ରୀସେତୁର ନିର୍ମାଣ ଶେଷ ହୋଇଥିବା ବେଳେ ପ୍ରବେଶ ପଥରେ ତୋରଣ ନିର୍ମାଣ କରାଯାଉଛି ।

ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଥିବା ୧୭ଟି ମଠ ଓ ୩ଟି ମନ୍ଦିରର ନିର୍ମାଣ କାମ ଆଗେଇ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପୁରୀ ଯାଇ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଆସନ୍ତାକାଲି ଠାରୁ ଯଜ୍ଞ ପ୍ରକ୍ରିୟା ଆରମ୍ଭ କରାଯିବ । ଗଜପତି ମହାରାଜା ଏଥିଲାଗି ବ୍ରାହ୍ମଣ ବରଣ କରିବେ ଓ ସନ୍ଧ୍ୟାରେ ଅଙ୍କୁରାରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ସ୍ୱତନ୍ତ୍ର ବୈଠକ ଆଜି ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାବଳୀ ସେଥିରେ ଅନୁମୋଦନ କରାଯିବ ।

ଆସନ୍ତାକାଲି ପରିକ୍ରମା ପ୍ରକଳ୍ପ ଉଦ୍‍ଘାଟନ ଆସନ୍ତା ୧୭ ତାରିଖ ଦିନ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଉଦ୍‍ଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ଦିନ ସାଢ଼େ ଗୋଟାଏରୁ ୨ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‍ଘାଟନ କରିବେ । ଏହାପରେ ଗଜପତି ମହାରାଜାଯଜ୍ଞରେ ପୂର୍ଣ୍ଣାହୂତି ଦେବାପରେ ଅନ୍ୟ କେତେକ କାର୍ଯ୍ୟକ୍ରମ କରାଯିବ । ସାଢ଼େ ୩ଟା ପରେ ସର୍ବସାଧାରଣ ଭକ୍ତମାନେ ପରିକ୍ରମା ପ୍ରକଳ୍ପ ବୁଲି ଦେଖିପାରିବେ । ଆସନ୍ତାକାଲି ସକାଳ ସୁଦ୍ଧା ପରିକ୍ରମା ପ୍ରକଳ୍ପକୁ ନିର୍ମାଣକାରୀ ସଂସ୍ଥା ପ୍ରଶାସନକୁ ହସ୍ତାନ୍ତର କରିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.