ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ । ଦୀର୍ଘ ୧୪ ମାସ ପରେ ଟି-୨୦ ଦଳକୁ କମବ୍ୟାକ କରିବା ସହ ରୋହିତ ଦଳର ନେତୃତ୍ୱ ହାସଲ କରିଛନ୍ତି । ମୋହାଲିରେ ଖେଳାଯାଉଛି ଏହି ସିରିଜର ପ୍ରଥମ ଟି-୨୦ ମ୍ୟାଚ । ତେବେ ଏହି ମ୍ୟାଚରେ ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଟସ୍ ସମୟରେ ଅଧିନାୟକ ରୋହିତ ଏକ ବଡ଼ ଭୁଲ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ଲେଇଙ୍ଗ-୧୧ ଘୋଷଣା କରିବା ସମୟରେ ନିଜ ସାଥି ଖେଳାଳିଙ୍କ ନାଁ ଭୁଲି ଯାଇଛନ୍ତି ରୋହିତ ।
ପ୍ରଥମ ଟି-୨୦ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ । ଦୀର୍ଗ ଦିନ ପରେ ରୋହିତ ଟି-୨୦ରେ କମବ୍ୟାକ କରୁଥିଲେ ମଧ୍ୟ ଟସ୍ ସମୟରେ ତାଙ୍କର ପୁରୁଣା ରୂପ ଦେଖିବାକୁ ମିଳିଛି । ଟସ୍ ସମୟରେ ପୁଣି ଥରେ ରୋହିତଙ୍କ ମଜାଦାର ଉତ୍ତର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଟସ୍ ପରେ ଉପସ୍ଥାପକ ମୁରଲୀ କାର୍ତ୍ତିକ ରୋହିତଙ୍କୁ ଦଳର ପ୍ଲେଇଙ୍ଗ-୧୧ ବିଷୟରେ ପ୍ରଶ୍ନ କରିଥିଲେ । ରୋହିତ ଦଳରୁ ବାଦ୍ ପଡ଼ିଥିବା ଖେଳାଳିମାନଙ୍କ ନାମ ପ୍ରଥମେ କହିଥିଲେ । କିନ୍ତୁ ସେ ତାଙ୍କ ସାଥି ଖେଳାଳିଙ୍କ ନାଁ ହିଁ ଭୁଲି ଯାଇଛନ୍ତି । ରୋହିତ କହିଛନ୍ତି ଯେ, ଦଳରୁ ସଞ୍ଜୁ, ଆବେଶ ଖାନ୍ ଏବଂ ଜଶସ୍ୱୀ ଜଏସ୍ୱାଲ ଦଳରୁ ବାଦ୍ ପଡ଼ିଛନ୍ତି । କିନ୍ତୁ ଏହାପରେ ସେ ଆଉ ଜଣେ ଖେଳାଳିଙ୍କ ନାଁ ଭୁଲ ଯାଇଥିଲେ ।
Typical Rohit Sharma moment during the toss😂#RohitSharma𓃵 #INDvsAFG pic.twitter.com/ntWUjdWF4t
— Quantum⁴⁵ Yadav (@45Quantum) January 11, 2024
ଏହାପରେ ରୋହିତ କହିଛନ୍ତି ଯେ, ଦଳରୁ ବାଦ୍ ପଡ଼ିଥିବା ଆଉ ଜଣେ ଖେଳାଳିଙ୍କ ନାଁ ମୁଁ ଭୁଲି ଯାଇଛି । ତେଣୁ ସେ ମୁରଲୀ କାର୍ତ୍ତିକଙ୍କୁ ଖେଳାଳିଙ୍କ ନାଁ ପଚାରିଥିଲେ, କାରଣ ଟସ୍ ପୂର୍ବରୁ କାର୍ତ୍ତିକଙ୍କୁ ପ୍ଲେଇଙ୍ଗ-୧୧ ବିଷୟରେ ଜଣାଇଥିଲେ ରୋହିତ । ତେବେ ରୋହିତଙ୍କ ଏହି କଥାରେ କାର୍ତ୍ତିକ ହସି ହସି କୁଳଦୀପ ଯାଦବଙ୍କ ନାଁ ପକାଇ ଦେଇଛନ୍ତି । ତେବେ ରୋହିତ କାର୍ତ୍ତିକଙ୍କ କଥାରେ ଏକଦମ ଖୁସି ହୋଇ ସମ୍ମତି ଦେଇ ହଁ ବୋଲି କହିଛନ୍ତି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି । ଯାହା ଖୁବ ଭାଇରାଲ ହେବା ଆରମ୍ଭ କଲାଣି । କ୍ରିକେଟପ୍ରେମୀ ମାନେ ରୋହିତଙ୍କ ଏହି ମଜାଦାର ଭିଡିଓର ମଜା ନେବା ସହ ଭିଡିଓରେ ଖୁବ କମେଣ୍ଟ କରୁଥିବା ଦେଖାଯାଇଛି ।