fbpx

ପୁଣି ଚର୍ଚ୍ଚାରେ ପ୍ରଣବ-ଧର୍ମେନ୍ଦ୍ରଙ୍କ ଟ୍ୱିଟର ୱାର: ଆଟାକ ଓ କାଉଣ୍ଟର ଆଟାକକୁ ନେଇ ରାଜନୀତି ବେଶ୍ ସରଗରମ

ଓଡିଶା ଭାସ୍କର: ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟର ୱାରକୁ ନେଇ ପୁଣିଥରେ ଚର୍ଚ୍ଚା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡା ସମାଲୋଚନା କରିବା ପରେ ଏହାର ପାଲଟା ଜବାବ ଦେବାକୁ ଆଗେଇ ଆସିଛନ୍ତି ପ୍ରଣବ। ଧର୍ମେନ୍ଦ୍ରଙ୍କୁ ଏକାଧିକ ପ୍ରଶ୍ନ ପଚାରିବା ସହ ସେ ତାଙ୍କୁ ତୀବ୍ର କଟାକ୍ଷ ମଧ୍ୟ କରିଛନ୍ତି। ଏହାକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଥିବା ବେଳେ ଏହି ଟ୍ୱିଟର ୱାର ଆଗକୁ ମଧ୍ୟ ଜାରି ରହିବ ବୋଲି ଚର୍ଚ୍ଚା ହେଉଛି। ତେବେ ପ୍ରଣବଙ୍କ ଟ୍ୱିଟରେ ଧର୍ମେନ୍ଦ୍ର ପୁଣି କ’ଣ ଉତ୍ତର ରଖିବେ ସେନେଇ ବର୍ତ୍ତମାନ ଅପେକ୍ଷା ରହିଛି।

ସୂଚନା ଥାଉକି, ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ ଓ ଆଇନଶୃଙ୍ଖଳା ସମେତ ଏକାଧିକ ପ୍ରସଙ୍ଗ ଉଠାଇ ଏହା କେମିତିକା ରୂପାନ୍ତରଣ ବୋଲି ଧର୍ମେନ୍ଦ୍ର ପଚାରିଥିଲେ । ଏହା ସହ , ଏନ୍‌ସିଆର୍‌ବି ରିପୋର୍ଟରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଖରାପ। ମହିଳା ଅତ୍ୟାଚାର କ୍ଷେତ୍ରରେ ସବୁଠାରୁ ଖରାପ ୩ ରାଜ୍ୟ ଭିତରେ ଓଡ଼ିଶା ରହିଛି। ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଏନେଇ ସେ ଦାବି ମଧ୍ୟ କରିଥିଲେ। ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଟାର୍ଗେଟ ପରେ ଏହାର କାଉଣ୍ଟର ଜବାବ ରଖିଥିଲେ ବିଧାୟକ ପ୍ରଣବ ପ୍ରକାଶ। ଟ୍ୱିଟରେ ସେ ଧର୍ମେନ୍ଦ୍ରଙ୍କୁ ତୀବ୍ର କଟାକ୍ଷ କରିବା ସହ ଏକାଧିକ ପ୍ରଶ୍ନ ମଧ୍ୟ କରିଥିଲେ।

ନିଜ ଟ୍ୱିଟରେ ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି ସମ୍ବୋଧନ କରିବା ସହିତ ତାଙ୍କୁ ଆଇନା ଦେଖାଇଲେ ସେ କାହିଁକି ଚିଡି ଯାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ । ଏହା ସହ ସେ ଧର୍ମେନ୍ଦ୍ରଙ୍କୁ ୩ଟି ପ୍ରଶ୍ନ କରିଛନ୍ତି। ପ୍ରଥମ ପ୍ରଶ୍ନ ହେଲା, ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ ବି, ନିଜ ମାଟି ପାଇଁ ଗୋଟିଏ ବି ନୂଆ ବିଶ୍ୱବିଦ୍ୟାଳୟ କରିବା ଛାଡ଼ନ୍ତୁ, ନିଜ ଜିଲ୍ଲା ଅନୁଗୁଳ ପଡ଼େଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟଟି ପ୍ରତିଷ୍ଠା କରିପାରି ନାହାନ୍ତି। ଅନ୍ୟପଟେ ଦକ୍ଷତା ବିକାଶ କେନ୍ଦ୍ରଟେ ମଧ୍ୟ ସ୍ଥାପନ କରିନାହାଁନ୍ତି। ସେହିପରି ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା ଯାହା ରହିଛି, ଗତ ୧୦ ବର୍ଷରେ କାମ ସରିପାରୁ ନାହିଁ ବୋଲି ପ୍ରଣବ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।

ଏହା ସହିତ ଆଉ ଏକ ଟ୍ୱିଟରେ ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରି ପ୍ରଣବ କହିଛନ୍ତି, ଆମେ ଖବର ପାଇଲୁ ଜାତୀୟ ରାଜପଥ ଦେଇ ଆପଣ ଯିବା ବଦଳରେ ରାଜ୍ୟ ରାଜପଥକୁ ଭରସା କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଭାବେ କେପି ସିଂହଦେଓ ଦାୟିତ୍ୱ ତୁଲାଇବାବେଳେ ଆଇଆଇଏମସି ସହ ଅନ୍ୟ କେନ୍ଦ୍ରୀୟ ପ୍ରକଳ୍ପ ନିଜ ଜିଲ୍ଲା ପାଇଁ କାର୍ଯ୍ୟକାରୀ କରିଥିଲେ। ହେଲେ ଲାଗୁଛି ଏ ପ୍ରଶ୍ନ ସବୁ ଶୁଣି ଆପଣ ରାଗିଯାଇଛନ୍ତି ଓ ରକ୍ତଚାପ ବଢ଼ିଯାଇଛି। ଆପଣ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗକରିଥିବା ଦେଖିଥିଲି। ଅନୁରୋଧ କରୁଛି ଏବେ ନିୟମିତ ଭାବେ ଯୋଗ କରନ୍ତୁ। ତେବେ ଏଭଳି ଆଟାକ ଓ କାଉଣ୍ଟର ଆଟାକକୁ ନେଇ ଏବେ ରାଜନୀତି ବେଶ୍ ସରଗରମ ହୋଇଛି।

 

Get real time updates directly on you device, subscribe now.