fbpx

ଆସିଲା ଗୁଡ୍ ନ୍ୟୁଜ: କେନ୍ଦ୍ର କର୍ମଚାରୀଙ୍କ ୧୮ ମାସର ବକେୟା DA ପାଇଁ ଅର୍ଥ ମନ୍ତ୍ରଣାଳୟ ନିକଟକୁ ପଠାଗଲା ପ୍ରସ୍ତାବ

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କର୍ମଚାରୀଙ୍କ ୧୮ ମାସର ବକେୟା ମହଙ୍ଗା ଭତ୍ତା (ଡିଏ)କୁ ନେଇ ଆସିଛି ଏକ ନୂଆ ଅପଡେଟ୍ । ଖୁବଶୀଘ୍ର କର୍ମଚାରୀ ଓ ପେନସନଧାରୀଙ୍କୁ ଏହି ଭତ୍ତା ମିଳିପାରେ । ୨୦୨୦ ମସିହା ଜାନୁଆରୀ ମାସରୁ ୨୦୨୧ ମସିହା ଜୁନ ମାସ ପର୍ଯ୍ୟନ୍ତ ୧୮ ମାସର ଡିଏ ବକେୟା ରହିଛି । ଯଦି ଅର୍ଥ ମନ୍ତ୍ରଣାଳୟ ଏନେଇ ନିଷ୍ପତ୍ତି ଗ୍ରହଣ କରେ ତେବେ କର୍ମଚାରୀଙ୍କ ବେତନ ବହୁମାତ୍ରାରେ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ଭାରତୀୟ ପ୍ରତିରକ୍ଷା ଶ୍ରମିକ ସଂଘର ମହାସଚିବ ମୁକେଶ ସିଂହ ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି । କୋଭିଡ୍-୧୯ ସମୟରେ ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ଡିଏ ରୋକା ଯାଇଥିଲା । ସେହି ଭତ୍ତାକୁ ପୁନଃ ପ୍ରଦାନ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ଦେଶର କୋଭିଡ ଲଢ଼େଇକୁ କର୍ମଚାରୀମାନେ ସମର୍ଥନ କରିଥିଲେ । ତେଣୁ ସେମାନଙ୍କର ଯୋଗଦାନକୁ ଶ୍ରୀ ସିଂହ ଗୁରୁତ୍ୱ ଦେଇଛନ୍ତି ।

ଜାନୁଆରୀ ୨୫ରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଧାରୀଙ୍କ ବକେୟା ଡିଏକୁ ନେଇ ବିସ୍ତାର ଭାବେ ଚର୍ଚ୍ଚା ହୋଇଥିଲା । ମହାମାରୀ ସମୟରେ ଖରାପ ଆର୍ଥିକ ସ୍ଥିତି କାରଣରୁ କର୍ମଚାରୀଙ୍କ ଡିଏ ଓ ଡିଅରନେସ ରିଲିଫ୍ (ଡିଆର)କୁ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଥିଲା । ଦେଶର ଚ୍ୟାଲେଞ୍ଜପୂର୍ଣ୍ଣ ସମୟରେ କର୍ମଚାରୀ ଓ ପେନସନଧାରୀଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେମାନେ ଅତୁଟ ସମର୍ପଣ ସହ କଠିନ ପରିଶ୍ରମ କରି ନିଜର ସେବାକୁ ସୁଚାରୁରୂପେ ସମ୍ପାଦନ କରିଥିଲେ । ତେଣୁ ଆଗାମୀ ବଜେଟରେ କର୍ମଚାରୀଙ୍କୁ କିସ୍ତି ଆକାରରେ ଉକ୍ତ ରାଶି ପ୍ରଦାନ କରିବାକୁ ଶ୍ରୀ ସିଂହ ଚିଠିରେ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.