ଜୟପୁର: ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ନେଇ ରାଜସ୍ଥାନରେ ବିବାଦ ଦେଖାଦେଇଛି । ଏଥିପାଇଁ ରାଜ୍ୟର ଭଜନଲାଲ ସରକାର ପ୍ରସ୍ତୁତି ଆରମ୍ଭ କରିବା ନେଇ ସମ୍ଭାବନା ରହିଛି । କ୍ୟାବିନେଟ ମନ୍ତ୍ରୀ କିରୋଡ଼ି ଲାଲ କହିଛନ୍ତି, ‘ହିଜାବ ଏବଂ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନେକ ମୁସଲମାନ ଦେଶରେ ଯେତେବେଳେ ହିଜାବ ଉପରେ ପ୍ରତିବନ୍ଧକ ରହିଛି ତେବେ ଏଠାରେ କାହିଁକି ରହିବ ।’ ଏହି ପରିପ୍ରେକ୍ଷୀରେ ରାଜ୍ୟର ଶିକ୍ଷା ମନ୍ତ୍ରୀ ମଦନ ଦିଲାୱର ଅନ୍ୟ ରାଜ୍ୟରେ ହିଜାବ ବ୍ୟାନର ଷ୍ଟାଟସ୍ ଏବଂ ରାଜସ୍ଥାନରେ ଏହାର ପ୍ରଭାବକୁ ନେଇ ବିଭାଗକୁ ରିପୋର୍ଟ ତଲବ କରିଛନ୍ତି । ତେବେ ଏହି ହିଜାବ ବିବାଦକୁ ନେଇ ସୋମବାର ମୁସଲମାନ ଛାତ୍ରଙ୍କ ଦ୍ୱାରା ସୁଭାଷ ଚୌକ୍ ଥାନା ଘେରାଉ କରାଯାଇ ବିରୋଧ ପ୍ରଦର୍ଶନ କରାଯାଇଥିଲା ।
କହିରଖୁଛୁ ହିଜାବକୁ ନେଇ ପ୍ରଥମେ ରାଜସ୍ଥାନର ଜୟପୁର ହୱାମହଲ ଆସନରୁ ବିଜେପି ବିଧାୟକ ବାଲମୁକୁନ୍ଦ ଆଚାର୍ଯ୍ୟ ପ୍ରଶ୍ନ ଉଠାଇଥିଲେ । ନିକଟରେ ସାଧାରଣତନ୍ତ୍ର ଦିବସ ଅବସରରେ ଏକ ସ୍କୁଲ କାର୍ଯ୍ୟକ୍ରମରେ ପ୍ରଶ୍ନ କରିଥିଲେ ଯେ ବିଦ୍ୟାଳୟରେ ଦୁଇ ପ୍ରକାଶ ଡ୍ରେସ୍ କୋଡ୍ ଅଛି କି? ଏହା ପରେ ସ୍କୁଲରେ ଡ୍ରେସ୍ କୋଡ୍ ପାଇଁ ଓକିଲାତି କରିଥିଲେ । ତାଙ୍କର ଏହି ମନ୍ତବ୍ୟ ପରେ ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ କରିଥିଲେ । ଅପରପକ୍ଷରେ ବାଲମୁକୁନ୍ଦ ଆଚାର୍ଯ୍ୟଙ୍କ ହିଜାବ ମନ୍ତବ୍ୟ ଉପରେ କିରୋଡ଼ି ଲାଲ ସମର୍ଥନ କରିଥିଲେ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ସମାନ ଡ୍ରେସ୍ କୋଡ୍ ରହିବା ଉଚିତ । ବିଦ୍ୟାଳୟରେ ଛାତ୍ରୀ ଜଣଙ୍କ ହିଜାବ ପିନ୍ଧି ଆସିଲେ କୌଣସି ଅନୁଶାସନ ରହିବ ନାହିଁ । ତେଣୁ ରାଜ୍ୟରେ ହିଜାବ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିବା ନେଇ ସେ କହିଛନ୍ତି । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଶିକ୍ଷାର ପ୍ରଚାର ହେବା ଉଚିତ ଏବଂ ମୁସଲମାନ ସମାଜକୁ ନିଜ ଚିନ୍ତାଧାରାକୁ ପ୍ରଗତିଶୀଳ ରଖିବା ଉଚିତ କିନ୍ତୁ ସେମାନଙ୍କ ଚିନ୍ତାଧାରା ଅପରାଧ ଆଡ଼କୁ ଗତି କରୁଛି ।