fbpx

ରଙ୍ଗୀନ ଟାଟୁକୁ ନେଇ ବିଶେଷଜ୍ଞଙ୍କ ଚେତାବନୀ: ଟାଟୁ କଲେ ଚର୍ମରୁ କମ୍ ଝାଳ ବାହାରେ, ଶରୀରର ଥଣ୍ଡା ହେବା କ୍ଷମତା କମିଯିବ, HIV ଓ କ୍ୟାନସରର ଭୟ ଥାଏ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ କମ୍ ବୟସର ପିଲାଙ୍କଠାରୁ ଆରମ୍ଭ କରି ଯୁବବର୍ଗଙ୍କ ମଧ୍ୟରେ ଟାଟୁ ଏକ ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି । ସାଧାରଣ ଭାବେ କଳା ଟାଟୁ କରିବାକୁ ୧୫ ଶହ ଟଙ୍କାରୁ ଆରମ୍ଭ କରି ୬-୮ ହଜାର ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ତେବେ ଗୋଟିଏ ପଟେ ଟାଟୁ ଜଣଙ୍କୁ ଦୁର୍ଘଟଣା ସମୟରେ ପରିଚୟ ଦେବାରେ ସହାୟକ ହେଉଥିବା ବେଳେ ଅନ୍ୟପଟେ କିନ୍ତୁ ଏହା ବିପଦ ବଢ଼ାଉଛି । ବିଶେଷ କରି ରଙ୍ଗୀନ ଟାଟୁ ପ୍ରତି ସାବଧାନ ରହିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ମଲ୍ଟି କଲର ଟାଟୁରେ ମକ୍ୟୁରି ସହ ବିଭିନ୍ନ ମେଟାଲସ ରହୁଥିବାରୁ ତାହା ଚର୍ମ ଉପରେ ପ୍ରଭାବ ପକାଇଥାଏ ଓ ତାହାକୁ ଲିଭାଯାଇ ପାରିବନି ।

ତେବେ ଯେଉଁମାନେ ଟାଟୁ କରିବାକୁ ଚାହୁଁଛନ୍ତି ସେମାନେ କଳା ଟାଟୁ କରିବା ଆବଶ୍ୟକ । ଏଥିସହିତ ଯଦି କଲର ଟାଟୁ କରୁଛନ୍ତି ତେବେ ଟାଟୁ କରିବା ସମୟରେ କଲର ଉପକରଣ ପ୍ରତି ଧ୍ୟାନ ଦେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଆଜିକାଲି ଛୋଟ ପିଲାମାନେ ମଧ୍ୟ ଟାଟୁ କରୁଥିବା ଦେଖାଯାଉଛନ୍ତି । ତେବେ ଛୋଟ ପିଲାଙ୍କ ଚର୍ମ ଅତ୍ୟନ୍ତ ପତଳା ହୋଇଥିବା ବେଳେ ସେମାନଙ୍କୁ ସୋରିୟାସିସ୍ ରୋଗ ହେବାର ଭୟ ଥାଏ । ଏଥିସହିତ ଟାଟୁ କରିବା ସମୟରେ ବ୍ୟବହୃତ ହେଉଥିବା ଛୁଞ୍ଚି ଏଚଆଇଭି, ଚର୍ମ କର୍କଟ ଓ ଚର୍ମ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିବାର ଆଶଙ୍କା ରହିଥାଏ ।

ଟାଟୁରେ ବ୍ୟବହୃତ ହେଉଥିବା କାଳିରେ ଥିବା ରାସାୟନିକ ପଦାର୍ଥ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ସମସ୍ୟା ସୃଷ୍ଟି କରିପାରେ । ଟାଟୁ ତିଆରି କରିବା ପାଇଁ ନୀଳ ରଙ୍ଗର ଇଙ୍କ ବ୍ୟବହାର କରାଯାଉଥିବା ବେଳେ ସେଥିରେ ଥିବା ଆଲୁମିନିୟମ ଓ କୋବାଲ୍ଟ ପିଲାଙ୍କ ନରମ ତ୍ୱଚା ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଟାଟୁରେ ବ୍ୟବହୃତ ହେଉଥିବା ଛୁଞ୍ଚି ମାଂଶପେଶୀର ବହୁତ କ୍ଷତି କରିଥାଏ । ଟାଟୁ କରିବା ପୂର୍ବରୁ ଲୋକମାନେ ହେପାଟାଇଟିସ୍ ବି ଟିକା ନେବା ଆବଶ୍ୟକ । ଏଥିସହିତ ଟାଟୁ ହୋଇଥିବା ସ୍ଥାନରେ ଆଣ୍ଟିବାୟୋଟିକ୍ କ୍ରିମ୍ ଲଗାଇବା ଆବଶ୍ୟକ ।

Get real time updates directly on you device, subscribe now.