fbpx

JMM-କଂଗ୍ରେସ ମେଣ୍ଟକୁ ଘାରିଲା ‘Operation Lotus’ ଭୟ: ରାଜ୍ୟ ବାହାରକୁ ଯିବେ ସମସ୍ତ ବିଧାୟକ, ସ୍ୱତନ୍ତ୍ର ବସ୍ ଓ ବିମାନ ପ୍ରସ୍ତୁତ

ନୂଆଦିଲ୍ଲୀ:ଆଜି ସଂସଦରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଅନ୍ତରୀଣ ବଜେଟ ଆଗତ କରିଛନ୍ତି । ଗୋଟିଏ ପଟେ ଦେଶବାସୀଙ୍କ ନଜର ବଜେଟ ଉପରେ ରହିଥିବା ବେଳେ ଅନ୍ୟପଟେ ଝାଡ଼ଖଣ୍ଡ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ସୋରେନ ଇସ୍ତଫା ଦେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଥିଲା । ତେବେ ଚମ୍ପଇ ସୋରେନ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ତେବେ ଗୋଟିଏ ପଟେ ଇଡି ହେମନ୍ତଙ୍କୁ କୋର୍ଟରେ ହାଜର କରିବା ନେଇ ପ୍ରସ୍ତୁତ ହେଉଥିବା ବେଳେ ବେଳେ ଅନ୍ୟପଟେ ଝାଡ଼ଖଣ୍ଡ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ପୂର୍ବରୁ ବିଭିନ୍ନ ଅଣବିଜେପି ଶାସିତ ରାଜ୍ୟରେ ଦେଖାଦେଇଥିବା ‘ଅପରେସନ୍ ଲୋଟସ’ ଭୟ ଏବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) – କଂଗ୍ରେସ ମେଣ୍ଟ ସରକାରକୁ ଘାରିଛି । ଚମ୍ପଇଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ମେଣ୍ଟ ପକ୍ଷରୁ ୪୩ ଜଣ ବିଧାୟକଙ୍କ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି ।

ତେବେ ରାଜ୍ୟରେ ବିଧାୟକମାନେ ଦଳବଦଳ କରିବାର ଭୟ ଥିବାରୁ ସମସ୍ତ ବିଧାୟକଙ୍କୁ ରାଜ୍ୟ ବାହାରକୁ ନେବାକୁ ଯୋଜନା କରାଯାଇଛି । ତେଣୁ ସମସ୍ତ ବିଧାୟକଙ୍କୁ ହାଇଦ୍ରାବାଦ ନେବା ପାଇଁ ଏହା ମଧ୍ୟରେ ରାଞ୍ଚି ସର୍କିଟ ହାଉସରେ ବସ୍ ପହଞ୍ଚି ଥିବା ଜଣାପଡ଼ିଛି । ଏଥିସହିତ ଏକ ସ୍ପେଶାଲ ବିମାନ ରାଞ୍ଚିର ବିର୍ସା ମୁଣ୍ଡା ଏୟାରପୋର୍ଟରେ ପହଞ୍ଚିଥିବାର ମଧ୍ୟ ସୂଚନା ମିଳିଛି । ଉକ୍ତ ବିମାନରେ ସମସ୍ତ ବିଧାୟକଙ୍କୁ ସୁରକ୍ଷିତ ଭାବେ ହାଇଦ୍ରାବାଦ ନିଆଯିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ବିଜେପିର ‘ଅପରେସନ ଲୋଟସ’କୁ ନେଇ ଅତୀତରେ ମଧ୍ୟ ଏକାଧିକ ଉଦାହରଣ ଦେଖିବାକୁ ମିଳିଥିଲା । ଗତ ବର୍ଷ ମାର୍ଚ୍ଚ ମାସରେ କର୍ଣ୍ଣାଟକ ବିଧାନସଭା ଫଳାଫଳ ସମୟରେ ଏହାକୁ ନେଇ ଚର୍ଚ୍ଚା ଜୋର ହୋଇଥିଲା । ସମସ୍ତ ବିଧାୟକଙ୍କୁ ସୁରକ୍ଷିତ ଭାବେ ନେବା ପାଇଁ ଏକ ସ୍ୱତନ୍ତ୍ର ବିମାନ ପ୍ରସ୍ତତ ରଖାଯାଇଥିଲା । ବିଜେପିର ବ୍ରହ୍ମାସ୍ତ୍ର ଚକ୍ରବ୍ୟୁହ କ୍ଷଣିକ ମଧ୍ୟରେ ରାଜନୀତିକୁ ପରିବର୍ତ୍ତନ କରିଦେଇପାରେ । ବହୁମତ ନଥାଇ ବି ଅନେକ ରାଜ୍ୟରେ ବିଜେପି ଏହି ଅସ୍ତ୍ର ପ୍ରୟୋଗ କରି ସରକାର ଗଠନ କରିବାକୁ ସଫଳ ହୋଇଥିଲା । ଅତୀତରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ, ରାଜସ୍ଥାନ ଓ ଉତ୍ତରାଖଣ୍ଡ ‘ଅପରେସନ ଲୋଟସ’ ଶକ୍ତି ଓ ପରାକ୍ରମ ଭଲ ଭାବେ ଦେଖିସାରିଛି । ସେଥିପାଇଁ ବିଜେପିର ଏହି ଶକ୍ତିକୁ ପରାହତ କରିବା ପାଇଁ ଝାଡ଼ଖଣ୍ଡର ମେଣ୍ଟ ସରକାର ଆଗୁଆ ପନ୍ଥା ଅବଲମ୍ବନ କରିଛି ।

Get real time updates directly on you device, subscribe now.