ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥାଏ । ବିଶେଷ କରି କ୍ରୀଡ଼ା କ୍ଷେତ୍ରରେ ଏହି ଦୁଇ ରାଷ୍ଟ୍ରର ମୁକାବିଲା ବେଶ୍ ରୋମାଞ୍ଚକର ହୋଇଥାଏ । ତେବେ ଏହା ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ରାଙ୍କିଂ ଜାରି କରଯାଇଛି । ଏହି ଫଳାଫଳ ଭାରତକୁ ଖୁସି କରିଦେଇଥିବା ବେଳେ ପାକିସ୍ତାନ ମନରେ ନିରାଶା ଭରି ଯାଇଛି ।
ସୂଚନା ମୁତାବକ, ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିଜୟ ହାସଲ କରିବା ପରେ ଭାରତର ବିଶ୍ୱ ଟେଷ୍ଟ ରାଙ୍କିଂରେ ପରିବର୍ତ୍ତନ ଘଟିଛି । ଏନେଇ ଆଇସିସି ପକ୍ଷରୁ ଏକ ରାଙ୍କିଂ ଲିଷ୍ଟ ଜାରି କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ରାଙ୍କିଂ ଭାରତକୁ ଖୁସି ଦେଇଥିବା ବେଳେ ପାକିସ୍ତାନକୁ ଲାଗିଛି ବଡ଼ ଝଟକା । ଭାରତ ୫୨.୭୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନକୁ ଲମ୍ଫ ପ୍ରଦାନ କରିଥିବା ବେଳେ ପାକିସ୍ତାନ ୩୬.୬୬ ପଏଣ୍ଟ ପାଇ ୬ଷ୍ଠ ସ୍ଥାନରେ ରହିଛି ।
ଅଷ୍ଟ୍ରେଲିଆ ୫୫ ପଏଣ୍ଟ ପାଇଁ ଏହି ଲିଷ୍ଟରେ ଟପରେ ରହିଛି । ଅନ୍ୟ ଟିମମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ୫୦ ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି । ସେହିପରି ୱେଷ୍ଟଇଣ୍ଡିଜ ୩୩.୩ ପଏଣ୍ଟ ସହ ସପ୍ତମ ସ୍ଥାନରେ, ଇଂଲଣ୍ଡ ୨୫ ପଏଣ୍ଟ ସହ ଅଷ୍ଟମ ଓ ଶ୍ରୀଲଙ୍କା କୌଣସି ପଏଣ୍ଟ ନପାଇ ଅନ୍ତିମ ସ୍ଥାନରେ ରହିଛି । ସୂଚନାଯୋଗ୍ୟ ଯେ, ଆଇସିସି ଡବ୍ଲ୍ୟୁଟିସି ୨୦୨୩-୨୫ର ତାଲିକାରେ ଶୀର୍ଷରେ ରହିଥିବା ଦୁଇ ଟିମଙ୍କ ମଧ୍ୟରେ ଫାଇନାଲ ଖେଳାଯିବ ।