fbpx

ରାଷ୍ଟ୍ରୀୟ ସମ୍ମାନ ସହ ସାତକଡି ହୋତାଙ୍କ କରାଯିବ ଶେଷକୃତ୍ୟ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶା ଭାସ୍କର: ବିଶିଷ୍ଟ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ସାତକଡି ହୋତାଙ୍କ ପରଲୋକକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଜଣେ ପ୍ରତିଷ୍ଠିତ ତଥା ଖ୍ୟାତିସମ୍ପନ୍ନ ସାହିତ୍ୟିକ ଭାବେ ସାତକାଡି ହୋତାଙ୍କ ସୁନାମ ରହିଥିଲା । ଅନେକ ଉଚ୍ଚକୋଟୀର ଗଳ୍ପ, ଉପନ୍ୟାସ, କବିତା ଓ ଅନୁବାଦ ସାହିତ୍ୟ ରଚନା ମାଧ୍ୟମରେ ଓଡିଆ ସାହିତ୍ୟ ଜଗତରେ ସେ ତାଙ୍କର ଅମଳିନ ସ୍ମୃତି ଛାଡି ଯାଇଛନ୍ତି । ଏଥି ସହିତ ଜଣେ ଦକ୍ଷ ସଂଗଠକ ଓ ସାମ୍ବାଦିକ ଭାବରେ ମଧ୍ୟ ତାଙ୍କର ସୁନାମ ରହିଥିଲା।

ତେବେ ସ୍ୱର୍ଗତ ସାତକଡ଼ି ହୋତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି। ଏହା ସହ ସ୍ୱର୍ଗତ ହୋତାଙ୍କ ଅମର ଆତ୍ମାର ସଦଗତି କାମନା କରି ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନା ଥାଉକି, ଆଜି ରାଜଧାନୀ ଭୁବନେଶ୍ୱରଠାରେ ଦିବା ୧୨.୨୫ ଘଟିକା ସମୟରେ ଶ୍ରୀ ହୋତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ଶ୍ରୀ ହୋତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଆଉ ତାଙ୍କର ମୃତ୍ୟୁରେ ସାହିତ୍ୟ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଶ୍ରୀ ହୋତା ସାହିତ୍ୟି ଓଡ଼ିଶା ଏକାଡେମୀର ସଭାପତି ଭାବେ କାର୍ଯ୍ୟ କରିବା ସହିତ ଦୈନିକ ଓଡ଼ିଆ ଖବରକାଗଜ ‘ସମୟ’ର ସମ୍ପାଦକ ଭାବେ ସଫଳତାରସହ କାର୍ଯ୍ୟ କରିଥିଲେ। ଏହା ସହ ସେ ଅନେକ ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ ଓ ଆତ୍ମଜୀବନୀ ରଚନା କରି ସମସ୍ତଙ୍କ ହୃଦୟକୁ ଜୟ କରିପାରିଥିଲେ । ସେ ଭାରତୀୟ ରେଳ ସେବାରୁ ଅବସର ଗ୍ରହଣ କରିଥିଲେ । ସେ ୧୯୮୫ ମସିହାରେ ‘ଭୁବନେଶ୍ୱର ପୁସ୍ତକ ମେଳା’ ଆରମ୍ଭ କରିବାରେ ଅନ୍ୟତମ ପୁରୋଧା ଥିଲେ । ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ ‘ବ୍ୟାକୁଳ ହୃଦୟ’ ଓ ୧୯୭୧ରେ ପ୍ରଥମ ଗପ ପ୍ରକାଶ ପାଇଥିଲା । ସେ ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ କବିତା ପୁସ୍ତକ ରଚନା କରିଥିଲେ। ତେବେ ସାତକଡ଼ିଙ୍କ ପରି ଜଣେ ସାରସ୍ୱତ ପ୍ରତିଭାଙ୍କ ମୃତ୍ୟୁ ଖବର ପାଇ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.