fbpx

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୀରଭଦ୍ର ସିଂହଙ୍କ ପୁଅ: ହିମାଚଳରେ ପୁଣି କଂଗ୍ରେସକୁ ଝଟକା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି । ବହୁସଂଖ୍ୟକ ବିଧାୟକ ଥାଇ ମଧ୍ୟ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପରାଜୟ ବରଣ କରିବା ପରେ ରାଜ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି । କଂଗ୍ରେସର ୬ ଜଣ ଓ ୩ ଜଣ ସ୍ୱାଧୀନ ବିଧାୟକ କ୍ରସ୍ ଭୋଟିଂ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ଆସନ ଟଳମଳ ଅବସ୍ଥାକୁ ଆସିଯାଇଛି । ଆଜି ସକାଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଧାୟକଙ୍କୁ ନେଇ ରାଜ୍ୟପାଳଙ୍କୁ ଭେଟିବା ସହ ଫ୍ଲୋଟ ଟେଷ୍ଟ ନେଇ ଦାବି କରିଥିଲେ ।

ତେବେ ଏହା ମଧ୍ୟରେ ହିମାଚଳରୁ ଆସିଛି ପୁଣି ଏକ ବଡ଼ ଅପଡେଟ୍ । ଗତକାଲି ରାଜ୍ୟସଭା ନିର୍ବାଚନରେ ବଡ଼ ଝଟକା ଖାଇଥିବା କଂଗ୍ରେସକୁ ଆଜି ଲାଗିଛି ପୁଣି ଏକ ବଡ଼ ଝଟକା । ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିକ୍ରମାଦିତ୍ୟ ନିଜ ପଦରୁ ଇସ୍ତଫା ଦେବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି ।

ଏହା ମଧ୍ୟରେ ବିକ୍ରମାଦିତ୍ୟ କଂଗ୍ରେସ ଉପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ଏକ ପ୍ରେସ କନଫରେନ୍ସରେ ସେ କହିଛନ୍ତି, କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଯଦି ପୂର୍ବରୁ କଠୋର ନିଷ୍ପତ୍ତି ଗ୍ରହଣ କରିଥାନ୍ତା ତେବେ ଆଜି ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିନଥାନ୍ତା । ମୋ ପିତା ବୀରଭଦ୍ର ସିଂହଙ୍କ ନାମରେ ଗତ ବିଧାନସଭା ନିର୍ବାଚନ ଲଢ଼ାଯାଇଥିଲା । ମାତ୍ର ନିର୍ବାଚନ ଜିତିବା ପରେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମୋ ପିତାଙ୍କୁ ଅଣଦେଖା କରିଛନ୍ତି ।

Get real time updates directly on you device, subscribe now.