ଆଜି ଓଡ଼ିଶା ଗସ୍ତର ଚତୁର୍ଥ ଦିନ, ସନ୍ଥକବି ଭୀମଭୋଇଙ୍କ ସ୍ମୃତି ପୀଠ ପରିଦର୍ଶନ କରିବେ ରାଷ୍ଟ୍ରପତି

ଓଡ଼ିଶା ଭାସ୍କର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଚତୁର୍ଥ ଅର୍ଥାତ ଶେଷ ଦିନ । ଆଜି ମହାମହିମଙ୍କ ସମ୍ବଲପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁରର ମିନି ଷ୍ଟାଡ଼ିୟମରେ ମହିମା ଧର୍ମାଲମ୍ବୀମାନଙ୍କ ଭେଟିବା ସହ ମଧୁପୁର ସ୍ଥିତ ସନ୍ଥ ଭୀମଭୋଇଙ୍କ ସ୍ମୃତି ପୀଠ ପରିଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସକାଳ ୧୦ଟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ବାୟୁସେନାର ହେଲିକପ୍ଟର ଯୋଗେ ରେଢ଼ାଖୋଲ ଯିବେ ରାଷ୍ଟ୍ରପତି । ପୂର୍ବାହ୍ନ ୧୧ଟା ୫ରେ ରେଢାଖୋଲର କଦଳୀଗଡ଼ାରେ କାର୍ଯ୍ୟକ୍ରମ ରହିଛି । ସେଠାରୁ ବାହାରି ମୁଧୁପୁର ସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ଆବିର୍ଭାବ ପୀଠ ମଧୁପୁର ଯିବେ । ଯେଉଁଠାରେ ସନ୍ଥକବିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ, ଚଉଷଠି ସିଦ୍ଧ ଆଶ୍ରମ ଯାଇ ସେଠାରେ ଧ୍ୱନି ମଣ୍ଡପ ଦର୍ଶନ କରିବେ ମହାମହିମ । ପରେ ସନ୍ଥକବିଙ୍କ ଜ୍ଞାନପ୍ରାପ୍ତି ପୀଠ କନ୍ଧରା ଓ ପରେ ବାଲ୍ୟକାଳ କଟିଥିବା କାଙ୍କଡପଡା ଯିବେ ରାଷ୍ଟ୍ରପତି । ଦିନ ୧୧ଟା ୩୦ରୁ ୧୧ଟା ୫୦ ଯାଏଁ ରାଷ୍ଟ୍ରପତିଙ୍କ  ମଧୁପୁରରେ କାର୍ଯ୍ୟକ୍ରମ ରହିଛି । ପରେ କନ୍ଧରାରେ ୧୨ଟା ୫ରୁ ୧୨ଟା ୨୫ ଯାଏଁ କାର୍ଯ୍ୟକ୍ରମ ରହିଛି । ସେଠାରୁ ରାଷ୍ଟ୍ରପତି କାଙ୍କଣପଡା ଆଶ୍ରମ ଯିବେ । ପରେ ରେଢାଖୋଲ ମିନି ଷ୍ଟାଡିୟମରେ ମହିମା ଭକ୍ତ ଓ ସାଧାରଣ ଜତନାଙ୍କୁ ଉଦବୋଧନ ଦେବେ ରାଷ୍ଟ୍ରପତି । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରେଢାଖୋଲ ଓ କଦଳୀଗଡ଼ାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଅପରାହ୍ନ ୫ଟା ୧୫ରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦିଲ୍ଲୀ ଫେରିଯିବେ ମହାମହିମ ।

ବୁଧବାରଠୁ ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି । ପ୍ରଥମ ଦିନରେ ମୟୂରଭଞ୍ଜ ଗସ୍ତ କରିଥିବା ବେଳେ ଦ୍ୱିତୀୟ ଦିନରେ କେନ୍ଦୁଝର ଓ ଭୁବନେଶ୍ୱର ଗସ୍ତ କରିଥିଲେ । ତୃତୀୟ ଦିନରେ ରାଷ୍ଟ୍ରପତି କଟକ ଓ ବ୍ରହ୍ମପୁର ଗସ୍ତ କରିଥିଲେ । ପ୍ରଥମେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର 25ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ । ପରେ କଟକରେ ଥିବା ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ ସାମିଲ ହୋଇଥିଲେ ।