ବିବାହ ବନ୍ଧନରେ ବାନ୍ଧି ହେଲେ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଡେଭିଡ୍ ମିଲର: ଦୀର୍ଘଦିନର ପ୍ରେମିକାଙ୍କୁ କଲେ ଜୀବନସାଥୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଡେଭିଡ୍ ମିଲର ନୂଆ ଇନିଂସ ଆରମ୍ଭ କରିଛନ୍ତି । ମିଲର ତାଙ୍କର ଦୀର୍ଘଦିନର ଗାର୍ଲଫ୍ରେଣ୍ଡ କାମିଲା ହାରିସଙ୍କୁ ବିବାହ କରିଛନ୍ତି । ଏନେଇ କେପ ଟାଉନଠାରେ ସେମାନଙ୍କର ବିବାହ ଉତ୍ସବ ବଡ଼ ଧୂମଧାମରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସାରା ବିଶ୍ୱର କୋଣ ଅନୁକୋଣରେ ରହିଥିବା ମିଲରଙ୍କ ଅଗଣିତ କ୍ରୀଡ଼ା ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବିବାହର ଏହି ଶୁଭ ମୁହୂର୍ତ୍ତ ବିଷୟରେ ମିଲରଙ୍କ ପତ୍ନୀ କାମିଲା ନିଜେ ଘୋଷଣା କରିଥିଲେ । ଏହି ସ୍ପେଶାଲ ଦିବସର ସ୍ପେଶାଲ ଖୁସିକୁ ସେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଥିଲେ । ଏହି ଅବସରରେ କାମିଲା ନବ ଦମ୍ପତ୍ତିଙ୍କ ବିବାହ ସମୟର କିଛି ଅଭୁଲା ଖୁସି ମୁହୂର୍ତ୍ତର ଫଟୋ ଶେୟାର କରିଥିଲେ । ଗତବର୍ଷ ଅଗଷ୍ଟ ମାସ ୩୧ ତାରିଖରେ ଦୁହିଁଙ୍କର ଏନଗେଜମେଣ୍ଟ ହୋଇଥିଲା । ଏନେଇ ମିଲର ଇନଷ୍ଟାଗ୍ରାମରେ ଖୁସି ଶେୟାର କରିଥିଲେ ।

ସୂଚନାଯୋଗ୍ୟ ଯେ, ଅନ୍ତର୍ଜାତୀୟ କ୍ରିକେଟରେ ମିଲର ଜଣେ ପ୍ରତିଭାମାନ ବ୍ୟାଟ୍ସମ୍ୟାନ ଅଟନ୍ତି । ସେ ଦକ୍ଷିଣ ଆଫ୍ରିକା ତରଫରୁ ଅନେକ ମ୍ୟାଚରେ ପ୍ରତିନିଧିତ୍ୱ କରିବା ସହିତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ମଧ୍ୟ ଖେଳିଥିଲେ । ୨୦୨୨ରେ ଗୁଜରାଟ ଟାଇଟନ୍ସର ଚାମ୍ପିୟନରେ ମିଲରଙ୍କର ପ୍ରମୁଖ ଭୂମିକା ରହିଥିଲା । ୩୪ ବର୍ଷୀୟ ମିଲର ମୋଟ ୧୭୩ଟି ଦିନିକିଆରେ ୬ଟି ଶତକ ଓ ୨୪ଟି ଅର୍ଦ୍ଧଶତକ ସହ ୪୪୫୮ ରନ୍ ସଂଗ୍ରହ କରିଛନ୍ତି । ସେହିପରି ୧୧୬ଟି ଅନ୍ତର୍ଜାତୀୟ ଟି-୨୦ରେ ୨ଟି ଶତକ ଓ ୬ଟି ଅର୍ଦ୍ଧଶତକ ସହ ୨୨୭୦ ରନ୍ ସଂଗ୍ରହ କରିଛନ୍ତି । ୨୦୧୦ ମସିହା ମେ ୨୨ରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ ।