ଘରକୁ ଯାଇ ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ଅନ୍ୟ ଗଣମାନ୍ୟ ବ୍ୟକ୍ତି
ନୂଆଦିଲ୍ଲୀ:ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଆଜି ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ତେବେ ରାଷ୍ଟ୍ରପତି ଆଡଭାନୀଙ୍କ ଘରକୁ ଯାଇ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମଧ୍ୟ ଉପସ୍ଥିତ ଥିଲେ ।
ତେବେ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନ ଥିବାରୁ ଶନିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସମ୍ମାନ ପ୍ରଦାନ ସମାରୋହରେ ଆଡଭାନୀ ଯୋଗ ଦେଇପାରି ନ ଥିଲେ । ଗତକାଲି ରାଷ୍ଟ୍ରପତି ଭବନରେ ଆୟୋଜିତ ଭାରତ ରତ୍ନ ସମ୍ମାନ ସମାରୋହରେ କର୍ପୂରୀ ଠାକୁର, ଏମଏସ୍ ସ୍ୱାମୀନାଥନ, ଚୌଧୁରୀ ଚରଣ ସିଂହ ଓ ପି.ଭି ନରସିଂହ ରାଓଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା । ଏଠାରେ ସୂଚାଇ ଦିଆଯାଇପାରେ କି ଆଡଭାନୀଙ୍କୁ ଦେଶର ବିକାଶରେ ତାଙ୍କ ଯୋଗଦାନ ପାଇଁ ୨୦୧୫ରେ ଦେଶର ଦ୍ୱିତୀୟ ସର୍ବବୃହତ୍ତ ନାଗରିକ ସମ୍ମାନ ପଦ୍ମ ବିଭୂଷଣରେ ମଧ୍ୟ ସମ୍ମାନିତ କରାଯାଇଥିଲା । ସେହି ସମୟରେ ମଧ୍ୟ ସେ ବୟସାଧିକ୍ୟ କାରଣରୁ ରାଷ୍ଟ୍ରପତି ଭବନ ଆସି ପାରି ନ ଥିଲେ ଓ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନିଜେ ତାଙ୍କ ଘରକୁ ଯାଇ ତାଙ୍କୁ ସମ୍ମାନିତ କରିଥିଲେ ।