fbpx

ଓଡ଼ିଶା ଅଗ୍ନିଶମ ବିଭାଗରେ ସାମିଲ ହେବ ରୋବଟ୍‌ ଓ ସର୍ଚ୍ଚ କ୍ୟାମେରା, ଚୁଟକୀରେ କରାଯିବ ଉଦ୍ଧାର

ଭୁବନେଶ୍ୱର: ଓଡ଼ିଶାର ଅଗ୍ନିଶମ ବିଭାଗ ଏବେ ନୂତନ ଓ ଉନ୍ନତ ବୈଷୟିକ ଜ୍ଞାନକୌଶଳକୁ ଆପଣାଉଛି । ଏହା ଉଦ୍ଧାର କାର୍ଯ୍ୟରେ ବେଶ୍‌ ସହାୟକ ହେବ। କିଛି ଦିନ ତଳେ, ଅଗ୍ନିଶମ ବିଭାଗରେ କୁକୁର ସାମିଲ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏବେ ରୋବଟ୍‌ ଏବଂ ଉଚ୍ଚ କ୍ଷମତାସଂପନ୍ନ ସର୍ଚ୍ଚ କ୍ୟାମେରା ସାମିଲ କରିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ଅଗ୍ନିଶମ ବିଭାଗ ଆଉ ଦୁଇ ପାଦ ଆଗକୁ ବଢ଼ିଛି। ଏପ୍ରିଲ ୧୪ରୁ ୨୦ ପର୍ଯ୍ୟନ୍ତ ହେବାକୁ ଥିବା ଅଗ୍ନିଶମ ପ୍ରତିଷ୍ଠା ସପ୍ତାହରେ ଏହା ସର୍ବସାଧାରଣରେ ପ୍ରଦର୍ଶିତ କରାଯିବ।

ବେଳେବେଳେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିବା କିମ୍ବା ହେବାର ଭୟ ଥିବା ସ୍ଥାନକୁ ଅଗ୍ନିଶମବାହିନୀ ଯାଇପାରନ୍ତି ନାହିଁ। ତେଣୁ ବହୁ ଧନଜୀବନ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ। ଏଭଳି ବିପଦକୁ ଟାଳିବାରେ ରିମୋଟ୍‌ କଣ୍ଟ୍ରୋଲ ରୋବୋଟ୍‌ ଉପାଦେୟ ସାବ୍ୟସ୍ତ ହେବ। ଏହି ରୋବୋଟ୍‌ ତେଲ ଟ୍ୟାଙ୍କର ବିସ୍ଫୋରଣ, ପ୍ଲାଣ୍ଟରେ ହୋଇଥିବା ବିସ୍ଫୋରଣ ଏବଂ ଅନ୍ୟାନ୍ୟ କେମିକାଲ ବିସ୍ଫୋରଣ ସ୍ଥଳକୁ ଯିବ। ସେଠାରେ ନିଆଁ ଲିଭାଇବା ସହ ଲୋକଙ୍କୁ ଉଦ୍ଧାର କରି ଆଣିବ। ନିଆଁର ଏହି ରୋବୋଟ୍‌ର କିଛି ବି କ୍ଷତି ହେବନି। ସେହିପରି ଭୁଶୁଡ଼ିଥିବା ପୋଲ, ବିଲ୍ଡିଂ ଏବଂ ଭୂମିକମ୍ପ ସ୍ଥାନକୁ ଯାଇ ମଧ୍ୟ ଲୋକଙ୍କୁ ଉଦ୍ଧାର କରିବ ଏହି ରେବୋଟ୍‌। ଏହି ରିମୋଟ୍‌ କଣ୍ଟ୍ରୋଲ ରୋବୋଟ୍‌ ବିଦେଶରୁ ଅଣାଯାଇଛି।

ସେହିପରି ପ୍ରଥମଥର କରି ଓଡ଼ିଶା ଅଗ୍ନିଶମରେ ସାମିଲ ହୋଇଛି ସର୍ଚ୍ଚ କ୍ୟାମେରା। ଏହି କ୍ୟାମେରା ପାଣିରେ ବୁଡ଼ିଯାଇଥିବା ବ୍ୟକ୍ତି କିମ୍ବା ପଦାର୍ଥର ଠାବ ସହଜରେ କରିପାରିବ। କୌଣସି ସ୍ଥାନରେ ଡଙ୍ଗାବୁଡ଼ି କିମ୍ବା ଅନ୍ୟାନ୍ୟ ଅଘଟଣ ଘଟିଲେ, ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିବା ପାଇଁ ନାକେଦମ୍‌ ହୁଅନ୍ତି। ଅଗ୍ନିଶମ କର୍ମଚାରୀ ପାଣିରେ ବୁଡ଼ି ଖୋଜିବା ପରେ ବହୁ ବିଳମ୍ବ ହୋଇଯାଇଥାଏ। ସେତବେଳକୁ ବୁଡି ଯାଇଥିବା ଲୋକର ମୃତ୍ୟୁ ଘଟିଥାଏ। କିନ୍ତୁ ଏହି ସର୍ଚ୍ଚ କ୍ୟାମେରା ଖୁବ୍‌ କମ୍‌ ସମୟରେ ପାଣିରେ ବୁଡ଼ି ଯାଇଥିବା ପଦାର୍ଥ ଏବଂ ବ୍ୟକ୍ତିଙ୍କୁ ଚିହ୍ନଟ କରିପାରିବ। ଆହୁରି ମଧ୍ୟ କେତେ ଫୁଟ୍‌ ତଳେ ରହିଛି, ଏହାର ଅବସ୍ଥିତି ମଧ୍ୟ ସୂଚନା ଦେଇପାରିବ। ଏହି ଦୁଇଟି ଅତ୍ୟାଧୁନିକ ଟେକ୍ନୋଲୋଜିକୁ ଆସନ୍ତା ଅଗ୍ନିଶମ ପ୍ରତିଷ୍ଠା ଦିବସରେ ପ୍ରଦର୍ଶିତ ହେବ ବୋଲି ଜଣାପଡ଼ିଛି।

Get real time updates directly on you device, subscribe now.