CHARIDHAM

କହ୍ନେୟା କୁମାର ଓ ଚରଣଜିତ ସିଂ ଚନ୍ନିଙ୍କୁ ଟିକେଟ; ୧୦ ପ୍ରାର୍ଥୀଙ୍କ ତାଲିକା ଜାରି କଲା କଂଗ୍ରେସ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି କଂଗ୍ରେସ ରବିବାର (ଏପ୍ରିଲ ୧୪) ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ କଂଗ୍ରେସ ୩ଟି ରାଜ୍ୟରୁ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସ ଉତ୍ତର-ପୂର୍ବ ଦିଲ୍ଲୀରୁ କହ୍ନେୟା କୁମାରଙ୍କୁ ଟିକେଟ୍ ଦେଇଛି। କହ୍ନେୟା କୁମାର ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ମନୋଜ ତିୱାରୀଙ୍କୁ ଚ୍ୟାଲେଞ୍ଜ କରିବେ। ଦିଲ୍ଲୀର ୩ଟି, ପଞ୍ଜାବର ୬ଟି ଏବଂ ଉତ୍ତରପ୍ରଦେଶର ଗୋଟିଏ ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି।

ଅନ୍ୟ ପ୍ରାର୍ଥୀମାନେ ହେଲେ ଚାନ୍ଦନୀ ଚୌକରୁ ଜେପି ଅଗ୍ରୱାଲ ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀରୁ ଉଦିତ ରାଜ। କଂଗ୍ରେସ ପଞ୍ଜାବର ପଟିଆଲାରୁ ଧରମବୀର ଗାନ୍ଧି, ସଙ୍ଗରୁରରୁ ସୁଖପାଲ ସିଂହ ଖଇରା, ଅମୃତସରରୁ ଗୁରଜିତ୍ ଓଜଲା, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଜଳନ୍ଧରରୁ ଏବଂ ଉଜ୍ୱଲ ରେବତୀ ରମଣ ସିଂହଙ୍କୁ ଆହ୍ଲାବାଦରୁ ପ୍ରାର୍ଥୀ କରିଛି।

କହ୍ନେୟା କୁମାର ବିହାରର ବେଗୁସରାଇର ବାସିନ୍ଦା। ୨୦୧୯ ଲୋକସଭା ନିର୍ବାଚନରେ ସେ ସିପିଆଇ ଟିକେଟରେ ବେଗୁସରାଇ ଲୋକସଭା ଆସନରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିଥିଲେ। ସେହି ନିର୍ବାଚନରେ ତାଙ୍କୁ ୪ ଲକ୍ଷରୁ ଅଧିକ ଭୋଟରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାପରେ କହ୍ନେୟା କୁମାର ୨୦୨୧ରେ କଂଗ୍ରେସରେ ଯୋଗ ଦେଇଥିଲେ।

କଂଗ୍ରେସ ପ୍ରାର୍ଥୀ ଜେପି ଅଗ୍ରୱାଲ ଚାନ୍ଦନୀ ଚୌକ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରବୀଣ ଖଣ୍ଡେଲୱାଲଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ। ଉଦିତ ରାଜ ଉତ୍ତର-ପଶ୍ଚିମ ଦିଲ୍ଲୀରୁ ବିଜେପି ନେତା ଯୋଗେନ୍ଦ୍ର ଚାନ୍ଦୋଲିଆଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ।