ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ, ମୋତେ ବଦନାମ କିରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ସ୍ପଷ୍ଟିକରଣ ଦେଲେ ରାଜ୍ୟପାଳ

କୋଲକାତା: ବର୍ତ୍ତମାନ ନିର୍ବାଚନ ସମୟ । ନାମଙ୍କନ ଦାଖଲ ଏବଂ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ । ଏଥିମଧ୍ୟରେ ପଶ୍ଚିମବଙ୍ଗର ରାଜ୍ୟପାଳ ସି ଭି ଆନନ୍ଦ ବୋଷଙ୍କୁ ନେଇ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ପୋଲିସ ନିକଟରେ ତାଙ୍କ ବିରୋଧରେ ଯୌନ ଶେଷଣର ଅଭିଯୋଗ କରିଛନ୍ତି । ଏନେଇ ପଶ୍ଚିମବଙ୍ଗ ରାଜନୀତିରେ ଅସ୍ଥିରତା ଦେଖିବାକୁ ମିଳିଛି ।

ଏକ ବୟାନରେ ମହିଳା(ପୀଡ଼ିତା) ଅଭିଯୋଗ କରି କହିଛନ୍ତି, ‘ଏପ୍ରିଲ ୨୪, ୨୦୨୪ରେ ସେ ଚାକିରି ଆଶାରେ ରାଜ୍ୟପାଳଙ୍କ ନିକଟକୁ ଯାଇଥିଲେ । ସେତେବେଳେ ରାଜ୍ୟପାଳ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏହା ପରେ ପୁଣି ଥରେ ଗୁରୁବାର(ମେ ୨, ୨୦୨୪)ରେ ଉକ୍ତ ମହିଳାଙ୍କୁ ଡକାଇଥିଲେ ଏବଂ ନିଶ୍ଚିତ ପଦୋନ୍ନତି ଦେବା ନାଁରେ ମହିଳାଙ୍କୁ ଅନୁପଯୁକ୍ତ ଭାବେ ସ୍ୱର୍ଶ କରିଥିଲେ । ଏହା ପରେ ପ୍ରଥମେ ସେ ରାଜଭବନ ପରିସର ସ୍ଥିତ ପୋଲିସ ପୋଷ୍ଟ ଏବଂ ତା’ ପରେ Hare street ସ୍ଥିତ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ।’ ଉକ୍ତ ମହିଳା ଜଣଙ୍କ ରାଜଭବନର ଅସ୍ଥାୟୀ କର୍ମଚାରୀ ବୋଲି ଦାବି କରୁଛନ୍ତି । ରାଜ୍ୟପାଳ ପୂର୍ବରୁ ମଧ୍ୟ ପୀଡ଼ିତାଙ୍କ ସହ ଦୁର୍ବ୍ୟବହାର କରିଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କୁ କହିଛନ୍ତି । କେବଳ ଚାକିରି ହରାଇବା ଭୟରେ ସେ ଚୁପ ଥିବା ସ୍ୱିକାର କରିଛନ୍ତି । ଅପରପକ୍ଷରେ ରାଜ୍ୟପାଳ ଏହି ସବୁ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ‘ଏହା ଏକ ମନଗଢ଼ା କାହାଣୀ । ଯଦି ମୋତେ କେହି ବଦନାମ କରି ନିର୍ବାଚନୀ ଲାଭ ଚାହୁଁଛନ୍ତି ତେବେ ଭଗବାନ ସେମାନଙ୍କୁ ଆଶୀର୍ବାଦ ଦିଅନ୍ତୁ । ପଶ୍ଚିମବଙ୍ଗରେ ଭ୍ରଷ୍ଟାଚାର ବିରୋଧରେ ମୋ ଲଢ଼େଇକୁ ସେମାନେ ଅଟକାଇ ପାରିବେ ନାହିଁ ।’ ଏନେଇ ଟିଏମସିର ବରିଷ୍ଠ ନେତା ଶଶି ପାଞ୍ଜା ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ଇଏ ହେଉଛନ୍ତି ସେହି ରାଜ୍ୟପାଳ ଯିଏ ଦିନେ ମହିଳାଙ୍କ ଅଧିକାର ପାଇଁ ଶନ୍ଦେଶଖାଲି ପହଞ୍ଚିଥିଲେ । ବର୍ତ୍ତମାନ ସେ ଏପରି ଏକ ଲଜ୍ଜ୍ୟାଜନକ ଘଟଣା ସହ ଜଡ଼ିତ ଅଛନ୍ତି । ସେ ତାଙ୍କ ପଦ ଏବଂ ଆସନର ପ୍ରତିଷ୍ଠାକୁ ଆଘାତ ଦେଇଛନ୍ତି ।’