୧୮ରୁ ରାଜ୍ୟରେ ପୁଣି ବଢ଼ିବ ଗ୍ରୀଷ୍ମ ପ୍ରବାହ, ୨୫ରେ ଲଘୁଚାପ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ସାମାନ୍ୟ ବର୍ଷା ହେବା ସହ ପାଗରେ ପରିବର୍ତ୍ତନ ଘଟିଥିଲା । ଫଳରେ ଜନସାଧାରଣ ଅସହ୍ୟ ଗରମରୁ ରକ୍ଷା ପାଇପାରିଥିଲେ । ତେବେ ଏହା ମଧ୍ୟରେ ରାଜ୍ୟରେ ପୁଣି ତାପମାତ୍ରା ବଢ଼ିବାକୁ ଯାଉଛି । ଆସନ୍ତା ୧୮ ତାରିଖରୁ ରାଜ୍ୟବାସୀ ପୁଣି ଅସହ୍ୟ ଗରମରେ ଛଟପଟ ହେବେ । ଉଭୟ ଦକ୍ଷିଣ-ପଶ୍ଚିମ, ଦକ୍ଷିଣ, ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ବାୟୁମଣ୍ଡଳରୁ ନିମ୍ନ ଭାଗରେ ଶୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ରାଜ୍ୟରେ ୨-୩ ଡିଗ୍ରୀ ସେଲସିଲସ୍ ତାପମାତ୍ରା ବୃଦ୍ଧି ପାଇବ । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ତରଫରୁ ଚେତାବନୀ ଜାରି କରାଯାଇଛି ।

ସେହିପରି ରାଜ୍ୟରେ ଆସନ୍ତା ୨୫ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ବିଭିନ୍ନ ମଡେଲ ଜରିଆରେ ଏହା ଅନୁମାନ କରାଯାଇଛି । ଏକ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହୋଇ ପୂର୍ବ ଭାରତ ଉପକୂଳ ଆଡ଼କୁ ମୁହାଁଇବା ସହ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ତେବେ ଏହା ମିଆଁମାର କିମ୍ବା ବାଂଲାଦେଶ ଆଡ଼କୁ ରହିପାରେ ବୋଲି ଜଣାପଡ଼ିଛି । ଆଜି ୧୩ଟି ଜିଲ୍ଲା ପାଇଁ ବିଜୁଳି ଓ ଘଡ଼ଘଡ଼ି ନେଇ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି । ୧୬ରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୧ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି । ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ବଲାଙ୍ଗିରେ ଗ୍ରୀଷ୍ମ ଲହରୀ ଦେଖାଦେଇପାରେ । ସେହିପରି ୧୯ ତାରିଖରେ ନୂଆପଡ଼ା, ବୌଦ୍ଧ, ବରଗଡ଼, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗିର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଉପକୂଳ ଅଞ୍ଚଳରେ ତାପମାତ୍ରା କମ୍ ରହିଲେ ବି ଆର୍ଦ୍ରତା ପ୍ରଭାବରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।