ନୂଆଦିଲ୍ଲୀ:କରୋନା ମହାମାରୀ ସମୟରେ ଏଥିରୁ ରକ୍ଷା ପାଇବା ଲାଗି ବହୁ ସଂଖ୍ୟାରେ ଲୋକମାନେ କୋଭିସିଲ୍ଡ ଓ କୋଭାକ୍ସିନ ଟୀକା ନେଇଥିଲେ । କିନ୍ତୁ ଧୀରେ ଧୀରେ ଏବେ ଏହି ଦୁଇ ଟୀକାର ସାଇଡ୍ ଇଫେକ୍ଟ କଥା ସାମ୍ନାକୁ ଆସିବାରେ ଲାଗିଛି । କୋଭିସିଲ୍ଡ ଟୀକା ବିକଶିତ କରିଥିବା ବ୍ରିଟିଶ କମ୍ପାନୀ ଏଷ୍ଟ୍ରାଜୋନିକା ଗତ କିଛିଦିନ ତଳେ ସେଠିକାର ଏକ କୋର୍ଟରେ ସ୍ୱୀକାର କରିଥିଲା କି ଏହି ଟୀକା ନେବା ଫଳରେ କିଛି ଲୋକଙ୍କ ଠାରେ ଗମ୍ଭୀର ରୋଗ ସମସ୍ୟା ଦେଖାଦେଇପାରେ । ସେହିପରି ଆମ ଦେଶରେ ବିକଶିତ ଭାରତ ବାୟୋଟିକ କମ୍ପାନୀର ଟୀକା କୋଭାକ୍ସିନ୍ର ପାଶ୍ୱର୍ ପ୍ରଭାବକୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ଦାବୀ କରାଯାଇଛି କି ଏହି ଟୀକା ନେବାର ପ୍ରାୟ ଏକ ବର୍ଷ ଭିତରେ କିଛି ଲୋକଙ୍କ ଠାରେ ଏହାର ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିଥିଲା । ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ କିଶୋରୀମାନେ ।
ତେବେ ଏହି ସାଇଡ୍ ଇଫେକ୍ଟକୁ ନେଇ ଏକ ଅବଜରଭେସନାଲ ଅଧ୍ୟୟନ କରାଯାଇଛି । ଏଥିରେ ଟୀକା ଲଗାଇଥିବା ଏକ ତୃତୀୟାଂଶ ଲୋକଙ୍କ ଠାରେ ଆଡଭର୍ସ ଇଫେକ୍ଟ ଅଫ୍ ସ୍ପେସିଆଲ ଇଫେକ୍ଟ(ଏଇଏସ୍ଆଇ) ଦେଖିବାକୁ ମିଳିଥିଲା । ଏହି ଅଧ୍ୟୟନରେ ୧୦୨୪ ଲୋକଙ୍କୁ ସାମିଲ କରାଯାଇଥିଲା । ଯେଉଁଥିରେ ୬୩୫ କିଶୋର ଓ ୩୯୧ ଯୁବକଙ୍କୁ ସାମିଲ କରାଯାଇଥିଲା । ଏହି ସମସ୍ତଙ୍କୁ ଟୀକା ନେବାର ଏକ ବର୍ଷ ପରେ ଫଲୋ ଅଫ୍ ଚେକ୍ଅପ୍ କରାଯାଇଥିଲା । ଅଧ୍ୟୟନରୁ ଜଣାପଡିଥିଲା କି ୩୦୪ କିଶୋର ଅର୍ଥାତ୍ ୪୮% ଙ୍କ ଠାରେ ଭାଇରାଲ ଅପର ରେସ୍ପେରେଟ୍ରୀ ଟ୍ରାକ୍ ଇନଫେକସନ୍ ଦେଖିବାକୁ ମିଳିଥିଲା । ଏପରି ସ୍ଥିତି ୧୨୪ ଅର୍ଥାତ୍ ୪୨.୬% ଯୁବକଙ୍କ ଠାରେ ଦେଖିବାକୁ ମିଳିଥିଲା । ଏହା ବ୍ୟତିତ ୧୦.୫% କିଶୋରଙ୍କ ଠାରେ ନ୍ୟୁ ଅନସେଟ୍ ସ୍କିନ୍ ଆଣ୍ଡ ସବକୁଟେନିୟସ ଡିଜଅର୍ଡର, ୧୦,୨%ଙ୍କ ଠାରେ ସାଧାରଣ ସମସ୍ୟା, ୪,୭%ଙ୍କ ଠାରେ ନର୍ଭସ ସିଷ୍ଟମ ଡିସଅର୍ଡର ଦେଖିବାକୁ ମିଳିଥିଲା ।