କିଏ ହେବ ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚ୍ ? ଏହି Google Tool ମାଧ୍ୟମରେ ଚାଲିଛି ସନ୍ଧାନ, ଜାଣନ୍ତୁ BCCIର କ’ଣ ରହିଛି ସର୍ତ୍ତ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼(BCCI) ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ବର୍ତ୍ତମାନ ରାହୁଲ ଦ୍ରାବିଡ଼ ଏହି ପଦବୀରେ ଅଛନ୍ତି । ଜୁନରେ ଆମେରିକାରେ ହେବାକୁ ଥିବା ଟି ୨୦ ବିଶ୍ୱକପ୍ ପରେ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହେବ । ତାଙ୍କ ପରେ ଦଳର ମୁଖ୍ୟ ପ୍ରଶିକ୍ଷକ ପଦକୁ ନେଇ ଚର୍ଚ୍ଚା ଜାରି ରହିଛି । ମୁଖ୍ୟ ପ୍ରଶିକ୍ଷକ ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ମେ ୨୭ ।
ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦବୀ ନିମନ୍ତେ ଆବେଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିସିସିଆଇ ଗୁଗୁଲ ଟୁଲ ବ୍ୟବହାର କରିଛି । ଏଥିପାଇଁ ଆବେଦନକାରୀଙ୍କ ପାଇଁ ଏକ ‘ଗୁଗୁଲ ଫର୍ମ’ ରହିଛି । ଏହି ଗୁଗୁଲ ଫର୍ମ ହେଉଛି ଏପରି ଏକ ଅନଲାଇନ୍ ଟୁଲ୍ ଯାହାକୁ ନିଃଶୁଳ୍କ ବ୍ୟବହାର କରାଯାଇପାରିବ । ଏହି ଗୁଗୁଲ ଫର୍ମ ସାହାଯ୍ୟରେ ଆପଣ ଫର୍ମ, ଟେଷ୍ଟ, ସର୍ଭେ ଏବଂ ଅନଲାଇନ୍ ଫର୍ମ ତିଆରି କରିପାରିବେ । ଏହା ଗୁଗୁଲ ଡକ୍ସ ଏବଂ ଶିଟ୍ ଭଳି ଅନ୍ୟ ଗୁଗୁଲ ଶୁଟ୍ ଆପର ଏକ ଅଂଶବିଶେଷ । ଏହାର ବିଶେଷତ୍ୱ ହେଉଛି ଏହାକୁ ଅନ୍ୟମାନଙ୍କ ସହ ସୃଷ୍ଟି ଏବଂ ବ୍ୟବହାର କରିପାରିବେ । ଆପଣ ଚାହିଁଲେ ଫର୍ମରେ ଟେକ୍ସଟ, ଇମେଜ୍ କିମ୍ବା ଭିଡ଼ିଓ ଜୋଡ଼ି ପାରିବେ, ପରିବର୍ତ୍ତନ କରିପାରିବେ କିମ୍ବା ଫର୍ମାଟ କରିପାରିବେ । ଏହା ସହ ସଂଗୃହିତ ଉତ୍ତର ଗୁଡ଼ିକୁ ରିଅଲ ଟାଇମରେ ଦେଖିପାରିବେ ।
BCCI ଏକ ବିଜ୍ଞପ୍ତିରେ ପ୍ରକାଶ କରିଛି ଯେ ଏହି ନୂତନ ମୁଖ୍ୟ ପ୍ରଶିକ୍ଷକଙ୍କ କାର୍ଯ୍ୟକାଳ ୧ ଜୁଲାଇ ୨୦୨୪ରୁ ୩୧ ଡିସେମ୍ବର ୨୦୨୭ ପର୍ଯ୍ୟନ୍ତ ରହିବ । ଏହା ବ୍ୟତୀତ ମୁଖ୍ୟ
ପ୍ରଶିକ୍ଷକ ପଦବୀ ପାଇଁ BCCI ପକ୍ଷରୁ ଏହି ସର୍ତ୍ତାବଳୀ ରଖାଯାଇଛି ।
– ମୁଖ୍ୟ ପ୍ରଶିକ୍ଷକ ପାଇଁ ଆବେଦନ କରୁଥିବା ବ୍ୟକ୍ତି ଅତିକମରେ ୩୦ଟି ମ୍ୟାଚ୍ କିମ୍ବା ୫୦ଟି ଦିନିକିଆ ମ୍ୟାଚ୍ ଖେଳିଥିବେ ।
– ଅତିକମରେ ୨ ବର୍ଷ ପାଇଁ ଟେଷ୍ଟ ଖେଳୁଥିବା ଦେଶର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ତୁଲାଇଥିବେ ।
– ଅତିକମରେ ୩ ବର୍ଷ ପାଇଁ ସହଯୋଗୀ ସଦସ୍ୟ/ ଆଇପିଏଲ୍ ଟିମ୍ ବା ସମକକ୍ଷ ଆନ୍ତର୍ଜାତୀୟ ଲିଗ୍/ ପ୍ରଥମ ଶ୍ରେଣୀ ଟିମ୍/ ଜାତୀୟ ଏ ଟିମର ମୁଖ୍ୟ କୋଚ୍ ରହିଥିବେ ।
– BCCI ଲେଭଲ ୩ ସାର୍ଟିଫିକେଟ୍ ରହିବା ଆବଶ୍ୟକ ।
– ମୁଖ୍ୟ ପ୍ରଶିକ୍ଷକଙ୍କ ବୟସ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ ।