ଓଡ଼ିଶା ଭାସ୍କର: ଜଳ ଜୀବନ ଲାଗି ନିହାତି ଆବଶ୍ୟକ । ଖରାଦିନେ ଆମେ ସମସ୍ତେ ଅଧିକ ପାଣି ପିଇବା ଉଚିତ । କିନ୍ତୁ ପାଣି ପିଇବାର ବି କିଛି ନିୟମ ରହିଛି । ଯେପରିକି ଛିଡା ହୋଇ ପାଣି ପିଇବା ଅନୁଚିତ, ରାତିରେ ଶୋଇବା ପୂର୍ବରୁ ଅଧିକ ପାଣି ପିଇବା ଅନୁଚିତ ଇତ୍ୟାଦି । କୁହାଯାଏ ରାତିରେ ଅଧିକ ପାଣି ପିଇବା ଦ୍ୱାରା କିଡନୀ ଖରାପ ହୋଇପାରେ । କିନ୍ତୁ ଏହା କେତେ ସତ ଆସନ୍ତୁ ଜାଣିବା.. ।
ଡାକ୍ତରଙ୍କ କହିବା ଅନୁଯାୟୀ ଅଧିକ ପାଣି ପିଇବା ଦ୍ୱାରା କିଡନୀ ଖରାପ ହୋଇ ନ ଥାଏ । କିନ୍ତୁ କିଡନୀ ରୋଗୀ ଅଧିକ ପାଣି ପିଇବା ଦ୍ୱାରା ସେମାନଙ୍କ ସମସ୍ୟା ବଢିଯାଏ । ଏହା ବ୍ୟତିତ ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ । ଯଦି ନିହାତି ଶୋଷ ଲାଗୁଛି ତେବେ କମ୍ ମାତ୍ରାରେ ପାଣି ପିଅନ୍ତୁ ।
ରାତିରେ ଅଧିକ ପାଣି ପିଇବା ଦ୍ୱାରା କିଡନୀ ତ ଖରାପ ହୋଇ ନ ଥାଏ କିନ୍ତୁ ରାତିରେ ବାରମ୍ବାର ପରିସ୍ରା ଲାଗିଥାଏ । ଏହା ରୋଗୀଙ୍କ ଲାଗି ଭଲ ନୁହେଁ । ଯେଉଁମାନଙ୍କର ଆଣ୍ଠୁଗଣ୍ଠି ସମସ୍ୟା ରହିଛି ସେମାନଙ୍କ ଲାଗି ଏହା ବେଶୀ ସମସ୍ୟା ସୃଷ୍ଟି କରିଥାଏ । ସେମାନଙ୍କୁ ନିଦରୁ ଉଠିବାକୁ ସମସ୍ୟା ହୋଇଥାଏ ଓ ହଠାତ୍ ଉଠିବା ସମୟରେ ସେମାନଙ୍କ ମୁଣ୍ଡ ବୁଲାଇଥାଏ । ଯେଉଁଁମାନଙ୍କର ନିଦ୍ରାହୀନତା ସମସ୍ୟା ରହିଛି ସେମାନେ ବି ଅଧିକ ପାଣି ପିଇବା ଅନୁଚିତ । କାରଣ ବାରମ୍ବାର ଉଠିବା ଦ୍ୱାରା ସେମାନଙ୍କର ଏହି ସମସ୍ୟା ଆହୁରି ବଢିଯାଏ । ଏହା ବ୍ୟତିତ କିଡନୀ ରୋଗୀ ରାତିରେ ଅଧିକ ପାଣି ପିଇବା ଅନୁଚିତ ।
ରାତିରେ ଅଳ୍ପ ଅଳ୍ପ ପାଣି ପିଅନ୍ତୁ । ଏକାଥରକେ ଅଧିକ ପାଣି ପିଅନ୍ତୁ ନାହିଁ । ସାମାନ୍ୟ ଉଷୁମ ପାଣି ବି ପିଇବା ଭଲ ହୋଇଥାଏ । ଏହା ଆପଣଙ୍କୁ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିପାରେ । ତେଣୁ ଖାଦ୍ୟ ଖାଇବା ପରେ ଅଳ୍ପ ଉଷୁମ ପାଣି ପିଅନ୍ତୁ । ଏହା ସହିତ ଆପଣଙ୍କ ଶରୀରର ଆବଶ୍ୟକତା ଅନୁଯାୟୀ ପାଣି ପିଅନ୍ତୁ ।