ଓଡ଼ିଶା ବିଜେପି ପାଇଁ ପୁଣି ଖୁସି ଖବର: ଭାଜପା ବିଧାୟକ ସଂଖ୍ୟା ୭୯କୁ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିବାକୁ ଯାଉଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୫ ଥର ବିଜେଡି ସରକାର ଗଠନ କରିଥିବା ବେଳେ ୬ଷ୍ଠ ଥର ବିଜୟରୁ ବଞ୍ଚିତ ହୋଇଛି । ୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ୭୮ଟି ଆସନ ପାଇଁ ବହୁମତ ହାସଲ କରିଥିବା ବେଳେ ବିଜେଡି ୫୧ଟି, କଂଗ୍ରେସ ୧୪ଟି, ସ୍ୱାଧୀନ ୩ଟି ଓ ସିପିଆଇ (ଏମ୍) ୧ଟି ଆସନରେ ବିଜୟୀ ହୋଇଛନ୍ତି ।

ତେବେ ରାଜ୍ୟରେ କିଏ ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବେ ତାହାକୁ ନେଇ ଏବେ ବିଜେପି ଶିବିରରେ ବଡ଼ ଚର୍ଚ୍ଚା ହେଉଥିବା ବେଳେ ଏହା ମଧ୍ୟରେ ଆସିଛି ପୁଣି ଏକ ବଡ଼ ଖବର । ୭୮ଟି ଆସନରେ ବିଜୟୀ ହୋଇଥିବା ଭାଜପାର ବିଧାୟକ ସଂଖ୍ୟା ଏହା ମଧ୍ୟରେ ଗୋଟିଏ ବୃଦ୍ଧି ପାଇଁ ୭୯ରେ ପହଞ୍ଚି ଯାଇଛି । ପ୍ରକୃତ କଥା ହେଉଛି, ଯାଜପୁର ଜିଲ୍ଲା ଧର୍ମଶାଳା ଆସନରେ ବିଜେପି ଟିକେଟରୁ ବଞ୍ଚିତ ହୋଇ ସ୍ୱାଧୀନ ଭାବେ ଲଢ଼ିଥିବା ହିମାଂଶୁ ଶେଖର ସାହୁ ବିଜୟୀ ହୋଇଥିଲେ । ବିଜେଡି ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟଙ୍କୁ ୪୧୫୦ ଖଣ୍ଡ ଭୋଟରେ ପରାସ୍ତ କରି ହିମାଂଶୁ ନିଜର ମଜବୁତ ସାଙ୍ଗଠନିକ ଦକ୍ଷତାର ପ୍ରମାଣ ଦେଇଥିଲେ ।

ନିର୍ବାଚନରେ ବିଜୟୀ ହେବାର ୨୪ ଘଣ୍ଟା ମଧ୍ୟରେ ହିମାଂଶୁ ଦଳକୁ ଫେରିଛନ୍ତି । ସାଂସଦ ଧର୍ମେନ୍ଦ୍ର ପ୍ରଧାନ ହିମାଂଶୁଙ୍କୁ ଫୁଲତୋଡ଼ା ଦେଇ ଦଳକୁ ସ୍ୱାଗତ କରିଥିଲେ । ଧର୍ମଶାଳାବାସୀଙ୍କ ଭଲ ପାଇବା ଯୋଗୁଁ ସେ ନିର୍ବାଚନ ଯୁଦ୍ଧରେ ଅଧର୍ମକୁ ହରାଇ ଧର୍ମର ସ୍ଥାପନା କରିପାରିଛନ୍ତି ବୋଲି ହିମାଂଶୁ କହିଛନ୍ତି । ଏଥିସହିତ ଧର୍ମେନ୍ଦ୍ରଙ୍କ ପ୍ରେରଣାରେ ନରେନ୍ଦ୍ର ମୋଦୀଙ୍କ ଯୋଜନାକୁ ରାଜ୍ୟର ଘରେ ଘରେ ପହଞ୍ଚାଇବେ ବୋଲି ହିମାଂଶୁ କହିଛନ୍ତି । ସୂଚନାଯୋଗ୍ୟ ଯେ, ଧର୍ମଶାଳାରୁ ବିଜେପି ପ୍ରାର୍ଥୀ ହେବା ପାଇଁ ହିମାଂଶୁ ଆଶାୟୀ ରହିଥିବା ବେଳେ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା । ତେଣୁ ସେ ଅସନ୍ତୋଷ ପ୍ରକାଶ କରି ସ୍ୱାଧୀନ ଭାବେ ଲଢ଼ିଥିଲେ ।

Get real time updates directly on you device, subscribe now.