fbpx

ଓଡ଼ିଆ ପୁଅଙ୍କୁ ବଡ଼ ପୁରସ୍କାର: ଶିବସୁନ୍ଦର ଦାସଙ୍କୁ ୧ କୋଟି ଟଙ୍କା ଦେବ BCCI

ନୂଆଦିଲ୍ଲୀ: ନିକଟରେ ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟିମ୍ ଇଣ୍ଡିଆ ଇତିହାସ ରଚିଥିଲା । ଦୀର୍ଘ ୧୭ ବର୍ଷର ପ୍ରତୀକ୍ଷା ପରେ ଭାରତ ଦ୍ୱିତୀୟ ଥର ପାଇଁ ଟି-୨୦ ଫର୍ମାଟରେ ବିଶ୍ୱ ଚାମ୍ପିୟନ ହୋଇଥିଲା । ତେବେ ଏହି ବିଜୟ ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟିମ୍ ଇଣ୍ଡିଆ ପାଇଁ ୧୨୫ କୋଟିର ପୁରସ୍କାର ରାଶି ଘୋଷଣା କରିଥିଲା । ବିସିସିଆଇ ସମ୍ପାଦକ ଜୟ ଶାହ ଏନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ ।

ତେବେ ଘୋଷିତ ହୋଇଥିବା ମୋଟ ୧୨୫ ଅର୍ଥରାଶିରୁ କେଉଁ ଖେଳାଳି କେତେ ପାଇବେ ତା’ର ଏକ ରିପୋର୍ଟ ସାମ୍ନାକୁ ଆସିଛି । ସପୋର୍ଟ ଷ୍ଟାଫ, ପ୍ରଶିକ୍ଷକ, କର୍ମକର୍ତ୍ତା, ଖେଳାଳିଙ୍କୁ ମିଶାଇ ମୋଟ ୪୨ ଜଣ ଭାରତୀୟ ଟିମ୍ ସହ ଆମେରିକା ଓ ୱେଷ୍ଟଇଣ୍ଡିଜ୍ ଯାଇଥିଲେ । ତେଣୁ ଏହି ଅର୍ଥ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରାଯିବ । ତେବେ ଏହି ଅର୍ଥରାଶି ମଧ୍ୟରୁ ପ୍ରତି ଖେଳାଳିଙ୍କୁ ସର୍ବାଧିକ ୫ କୋଟି ଲେଖାଏଁ ମିଳିବ । ଗୋଟିଏ ବି ମ୍ୟାଚ ଖେଳିନଥିବା ଯଶସ୍ୱୀ ଜୟସ୍ୱାଲ, ଯୁଜବେନ୍ଦ୍ର ଚହଲ, ସଞ୍ଜୁ ସାମସନ ମଧ୍ୟ ସମାନ ଅର୍ଥ ପାଇବେ । ମୁଖ୍ୟ ପ୍ରଶିକ୍ଷକ ମଧ୍ୟ ୫ କୋଟି ଟଙ୍କା ପାଇବେ ।

ଅନ୍ୟ ୩ ଜଣ ସହଯୋଗୀ ବ୍ୟାଟିଂ କୋଚ ଟି. ଦିଲୀପ, ବିକ୍ରମ ରାଠୋର ଓ ବୋଲିଂ କୋଚ ପାରସ ମାହାମ୍ବ୍ରେ ୨.୫ କୋଟି ଲେଖାଏଁ ପାଇବେ । ବ୍ୟାକରୁମ୍ ସପୋର୍ଟ ଷ୍ଟାଫ ଯଥା- ୩ ଜଣ ଫିଜିଓଥେରାପିଷ୍ଟ, ୨ ଜଣ ମାଲିସବାଲା, ଜଣେ ଷ୍ଟ୍ରେଙ୍ଗଥ ଆଣ୍ଡ କଣ୍ଡିସନିଂ କୋଚ ୨ କୋଟି ଲେଖାଏଁ ପାଇବେ । ବରିଷ୍ଠ ଚୟନକର୍ତ୍ତା ଓ ରିଜର୍ଭ ଖେଳାଳି ମଧ୍ୟ ପୁରସ୍କାର ରାଶି ପାଇବେ । ୫ ଜଣ ଚୟନକର୍ତ୍ତାଙ୍କୁ ୧ କୋଟି ଲେଖାଏଁ ଦିଆଯିବ । କେନ୍ଦ୍ରାଞ୍ଚଳରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଆ ପୁଅ ଶିବସୁନ୍ଦର ଦାସଙ୍କୁ ୧ କୋଟି ମିଳିବ । ୪ ଜଣ ରିଜର୍ଭ ଖେଳାଳି ଶୁବମନ ଗିଲ, ରିଙ୍କୁ ସିଂ, ଆବେଶ ଖାନ ଓ ଖଲୀଲ ଅହମ୍ମଦଙ୍କୁ ୧ କୋଟି ଲେଖାଏଁ ମିଳିବ ।

Get real time updates directly on you device, subscribe now.