(Video) ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର କାହିଁକି ଖସି ପଡ଼ିଲେ, ଏବେ ଜଣାପଡ଼ିଲା କାରଣ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଚଳିତ ବର୍ଷ ଦେଖିବାକୁ ମିଳିଛି ଏକ ବଡ଼ ଅଘଟଣ । ବଡ଼ ଠାକୁର ବଳଦେବ ତାଳଧ୍ୱଜ ରଥରୁ ଆଡ଼ପ ପହଣ୍ଡି ହେଉଥିବା ସମୟରେ ଅଚାନକ ତଳକୁ ଖସି ପଡ଼ିଥିଲେ । ଯାହା କେବେ ଘଟିନଥିଲା ଚଳିତ ବର୍ଷ ଦେଖିବାକୁ ମିଳିଥିଲା । ଏହି ଅଘଟଣ ପରେ ସାରା ଶ୍ରୀକ୍ଷେତ୍ର ସ୍ତବ୍ଧ ହୋଇ ପଡ଼ିଥିଲା । କାହିଁକି ଏଭଳି ଘଟିଲା? ଏହି ପ୍ରଶ୍ନଟି ଲକ୍ଷ ଲକ୍ଷ ଭକ୍ତ ଓ ସେବାୟତଙ୍କ ମନରେ ଆଶଙ୍କା ସୃଷ୍ଟି କରିଥିଲା ।

ଶାନ୍ତିଶୃଙ୍ଖଳାର ସହିତ ରଥଯାତ୍ରା ସମାପନ ପରେ ଆଡ଼ପ ପହଣ୍ଡି ସମୟରେ ଘଟିଥିବା ଏହି ଅଘଟଣକୁ ନେଇ ସହଜରେ ବିଶ୍ୱାସ କରିପାରିନଥିଲେ । କାଳିଆ ତ ବିଶ୍ୱନିୟନ୍ତା, ସେ ତ ସବୁ ଜାଣନ୍ତି, କ’ଣ ରହିଛି ପ୍ରଭୁଙ୍କର ଇଚ୍ଛା ଏଭଳି ଅନେକ ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରିଥିଲା । ଏହି ଅଘଟଣ ପରେ ୬-୭ ଜଣ ସେବାୟତ ଗୁରୁତର ହୋଇପଡ଼ିଥିବା ବେଳେ ସେମାନଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଏଭଳି ଏକ ବଡ଼ ଅଘଟଣ କାହିଁକି ଘଟିଲା, ଏହି ଘଟଣା ପଛର କାରଣ କ’ଣ? ସଭିଙ୍କ ମନରେ ଏକ ଭୟ ଓ ସଂଶୟ ସୃଷ୍ଟି ହୋଇଛି । ଏହା କୌଣସି ଭବିଷ୍ୟତର ବିପଦର ପୂର୍ବ ସଙ୍କେତ ନୁହେଁ ତ? ଏଭଳି ପ୍ରଶ୍ନ ସଭିଙ୍କୁ ଘାରିବାରେ ଲାଗିଥିଲା । ତେବେ ଏହା ମଧ୍ୟରେ ଉକ୍ତ ଅଘଟଣ ପଛର କାରଣ ଏବେ ସାମ୍ନାକୁ ଆସିଛି । ମୁଖ୍ୟ କାରଣ ହେଉଛି ମହାପ୍ରଭୁ ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ସମୟରେ ଅଚାନକ ସେବାୟତଙ୍କର ପାଦ ଖସି ଯାଇଥିଲା । ଫଳରେ ବଡ଼ ଠାକୁର ତଳେ ପଡ଼ିଯାଇଥିଲେ । ତେବେ ସବୁଠାରୁ ବଡ଼ କଥା ହେଉଛି, ଯଦି ଜଣେ ସେବାୟତଙ୍କର ପାଦ ଖସିଗଲା, ତେବେ ଅନ୍ୟ ସେମାୟତମାନେ କିଭଳି ପ୍ରଭୁଙ୍କୁ ସମ୍ଭାଳି ପାରିଲେ ନାହିଁ, ସେନେଇ ଏବେ ସମସ୍ତେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେହିପରି ପହଣ୍ଡି ସମୟରେ ବରିଷ୍ଠ ସେବାୟତମାନେ ଉପସ୍ଥିତ ରହିବା କଥା, ମାତ୍ର ସେହି ସମୟରେ ଯୁବ ସେବାୟତମାନେ ରହିଥିବାରୁ ଏଭଳି ଅଘଟଣ ଘଟିଲା ବୋଲି ମଧ୍ୟ କୁହାଯାଉଛି ।