ରାଜ୍ୟସଭାରେ ବଢ଼ିଲା ବିଜେପିର ଶକ୍ତି: ସାଂସଦ ସତନାମ ସିଂହ ପଦ୍ମ ଧରିଲେ, ମୋଟ ସଦସ୍ୟଙ୍କ ସଂଖ୍ୟା ୮୭ରେ ପହଞ୍ଚିଲା

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି । ଏହାଫଳରେ ସଂସଦର ଉପର ଗୃହରେ ବିଜେପିର ଶକ୍ତି ବୃଦ୍ଧି ହୋଇଛି । ମନୋନୀତ ସାଂସଦ ସତନାମ ସିଂହ ସନ୍ଧୁ ବିଜେପିରେ ସାମିଲ ହୋଇଛନ୍ତି । ପଦ୍ମ ଧରିବା ପରେ ସତନାମ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି । ଦଳବଦଳ ବିରୋଧୀ ଆଇନ ଅନୁସାରେ ମନୋନୀତ ସାଂସଦ ରାଜ୍ୟସଭାକୁ ମନୋନୟନ ହେବାର ୬ ମାସ ଭିତରେ କୌଣସି ରାଜନୈତିକ ଦଳରେ ସାମିଲ ହୋଇଥାନ୍ତି ।

ସନ୍ଧୁ ଗତ ଜାନୁଆରୀ ମାସ ୩୦ ତାରିଖରେ ମନୋନୀତ ହୋଇଥିଲେ ଓ ତାଙ୍କ ନିକଟରେ କୌଣସି ଦଳର ସଦସ୍ୟ ହେବା ପାଇଁ ଜୁଲାଇ ୩୦ ପର୍ଯ୍ୟନ୍ତ ସମୟ ରହିଥିଲା । ସେ ବିଜେପିରେ ସାମିଲ ହେବା ପରେ ଏବେ ରାଜ୍ୟସଭାରେ ବିଜେପିର ସଦସ୍ୟ ସଂଖ୍ୟା ୮୭ରେ ପହଞ୍ଚି ଯାଇଛି । ଏହାପୂର୍ବରୁ ରାଜ୍ୟସଭାରେ ବିଜେପିର ସଦସ୍ୟ ସଂଖ୍ୟା ୮୬ ରହିଥିଲା । ବର୍ତ୍ତମାନ ସନ୍ଧୁ ଭାଜପାରେ ସାମିଲ ହେବା ପରେ ଉକ୍ତ ସଂଖ୍ୟା ୮୭ରେ ପହଞ୍ଚିଛି । ତେବେ ବର୍ତ୍ତମାନ ସମୟରେ ବିଜେପିର ମୋଟ ସଦସ୍ୟ ସଂଖ୍ୟା ୯୦ ତଳକୁ ରହିଥିବାରୁ ତାହା ନିଶ୍ଚିତ ଭାବେ ଦଳ ପାଇଁ ଚିନ୍ତାର ବିଷୟ ।

ଏନଡିଏ ପାଖରେ ବର୍ତ୍ତମାନ ସମୟରେ ରାଜ୍ୟସଭାରେ ୧୦୧ ଜଣ ସାଂସଦ ରହିଥିବା ବେଳେ ତାହା ବହୁତ କମ୍ । ତେଣୁ ଏପରି ସ୍ଥିତିରେ ରାଜ୍ୟସଭାରେ ବହୁମତ ହାସଲ କରିବାକୁ ଏବେ ବିଜେପି ଫୋକସ୍ କରିବ । ଚଣ୍ଡିଗଡ଼ ୟୁନିଭରସିଟିର କୁଳପତି ତଥା ଜଣେ ଜଣାଶୁଣା ଶିକ୍ଷାବିତ ସନ୍ଧୁଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ବର୍ଷ ରାଜ୍ୟସଭାକୁ ମନୋନୀତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖର ଏଥିପାଇଁ ସନ୍ଧୁଙ୍କ ଅଭିନନ୍ଦନ ଜଣାଇଥିଲେ । ଜଣେ କୃଷକର ସନ୍ତାନ ହୋଇ ନିଜର ଦକ୍ଷତା ବଳରେ ସନ୍ଧୁ ଦେଶର ଟପ୍ ଶିକ୍ଷାବିତ ଭାବେ ପରିଚିତି ହାସଲ କରିପାରିଥିଲେ ।

Get real time updates directly on you device, subscribe now.