fbpx

ପ୍ରୀତି ସୂଦନ UPSCର ନୂଆ ଅଧ୍ୟକ୍ଷ: ୧୯୮୩ ବ୍ୟାଚର IAS ଅଧିକାରୀଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ୧୯୮୩ ବ୍ୟାଚର ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ପ୍ରୀତି ସୂଦନଙ୍କ ମିଳିଛି ଏକ ବଡ଼ ଦାୟିତ୍ୱ । ପ୍ରୀତିଙ୍କୁ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଏହା ପୂର୍ବରୁ ପ୍ରୀତି ୟୁପିଏସସିର ସଦସ୍ୟ ରହିଥିଲେ । ଏଥିସହିତ ସହି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ସହିତ ବିଭିନ୍ନ ପଦରେ ମଧ୍ୟ କାର୍ଯ୍ୟ କରିଥିଲେ । ଆନ୍ଧ୍ରପ୍ରଦେଶ କ୍ୟଡରର ଏହି ଆଇଏଏସ ଅଧିକାରୀ ୨୦୨୦ରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ପଦରୁ ସେବାନିବୃତ୍ତ ହୋଇଥିବା ବେଳେ ତାଙ୍କ ପାଖରେ ସରକାରୀ ପ୍ରଶାସନର ବିଭିନ୍ନ କ୍ଷେତ୍ରରେ ପାଖାପାଖି ୩୭ ବର୍ଷର ଅଭିଜ୍ଞତା ରହିଛି ।

ସୂଚନାଯୋଗ୍ୟ ଯେ, ନିକଟରେ ୟୁପିଏସସି ଅଧ୍ୟକ୍ଷ ପଦରୁ ମନୋଜ ସୋନୀ ଇସ୍ତଫା ଦେଇଥିଲେ । ମନୋଜ ଏହି ପଦ ଛାଡ଼ିବା ପରେ ଉକ୍ତ ପଦ ଖାଲି ପଡ଼ିଥିଲା । ନିଜର କାର୍ଯ୍ୟକାଳ ସରିବା ପୂର୍ବରୁ ଶ୍ରୀ ସୋନୀ ୟୁପିଏସସି ଅଧ୍ୟକ୍ଷ ପଦ ଛାଡ଼ିଥିଲେ । ଶ୍ରୀ ସୋନୀ ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିଲେ । ୨୦୨୯ ମସିହାରେ ଶ୍ରୀ ସୋନୀଙ୍କ କାର୍ଯ୍ୟକାଳ ସମାପ୍ତ ହେବାର ଥିଲା । ମାତ୍ର ତା’ ପୂର୍ବରୁ ସେ ପଦରୁ ରିଜାଇନ୍ କରିଥିଲେ । ଗତ ବର୍ଷ ମେ ୧୬ ତାରିଖରେ ଶ୍ରୀ ସୋନୀ ୟୁପିଏସସି ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୨୦୧୭ରେ ସେ ୟୁପିଏସସିର ସଦସ୍ୟ ଭାବେ ଯୋଗ ଦେଇଥିଲେ । ୨୦୨୯ରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବାର ଥିଲା । ବ୍ୟକ୍ତିଗତ କାରଣ ପାଇଁ ଶ୍ରୀ ସୋନୀ ୟୁପିଏସସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହୋଇଥିଲା ।

Get real time updates directly on you device, subscribe now.