fbpx

Video; ମାଡ ମାରିଲେ ସରପଞ୍ଚ, କାନ୍ଦି କାନ୍ଦି କହୁଛନ୍ତି ପ୍ରଧାନ ଶିକ୍ଷକ, ‘ମୋତେ ଏଠୁ ଟ୍ରାନ୍ସଫର କରିଦିଅ’

କଟକ: (ଓଡ଼ିଶା ଭାସ୍କର) କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅଧିନସ୍ଥ ଛଅଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ମାଡ଼ । ପ୍ରଧାନଶିକ୍ଷକ ମନୋରଞ୍ଜନ ଧଳ ଅଭିଯୋଗ କରିଛନ୍ତି କି ସ୍ଥାନୀୟ ସରପଞ୍ଚ ତୁଷାର ସାହୁ ତାଙ୍କୁ ମାଡ଼ ମାରିଛନ୍ତି । ଏଥିପାଇଁ ସେ ଗୁରୁଡିଝାଟିଆ ଥାନାରେ ଏତଲା ବି ଦେଇଛନ୍ତି । ହେଲେ ପୋଲିସ ଯେଉଁଭଳି ଭାବେ ତଦନ୍ତ କରୁଛି ସେଥିରେ ସେ ସନ୍ତୁଷ୍ଟ ନାହାଁନ୍ତି ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ । ତାଙ୍କ ଜୀବନ ପ୍ରତି ବିପଦ ରହିଛି । ତେଣୁ ତାଙ୍କୁ ଏଠାରୁ ବଦଳି କରିଦେବା ପାଇଁ ସେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ।

ପ୍ରକୃତରେ ପ୍ରଧାନ ଶିକ୍ଷକ ଏବଂ ସରପଞ୍ଚଙ୍କ ମଧ୍ୟରେ ହୋଇଥିବା ଏଭଳି ଗଣ୍ଡଗୋଳ ପଛରେ ଯାହା କାରଣ ରହିଛି ତାହା ହେଉଛି ଜଣେ ପ୍ରାଇଭେଟ୍ ଟିଚରଙ୍କ ଦରମାକୁ ନେଇ । ଅର୍ଥାତ୍ ଏହି ଛଅଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଉଛନ୍ତି ଜଣେ ପ୍ରାଇଭେଟ୍ ଟିଚର । ଆଉ ଏହି ପ୍ରାଇଭେଟ୍ ଟିଚରଙ୍କ ନାଁ ହେଉଛି ସନାତନ ସାହୁ । ଯିଏ କି ସ୍ଥାନୀୟ ସରପଞ୍ଚ ତୁଷାର ସାହୁଙ୍କ ନିଜ ଦାଦା ବୋଲି ଜଣାପଡିଛି । ତେବେ ଏହି ପ୍ରାଇଭେଟ୍ ଟିଚରଙ୍କୁ ଦରମା ଦେବାର ଦାୟିତ୍ୱ କୁଆଡେ ବିଦ୍ୟାଳୟ ପରିଚାଳନା କମିଟି ବା ଏସଏମସି ନେଇଛି ।

ଆଉ ତାହା ପୁଣି ପିଲାଙ୍କ ମଧ୍ୟାହ୍ନ ଭୋଜନରୁ ବଳକା ଚାଉଳ ବିକ୍ରି ହୋଇ ଯାହା ପଇସା ବାହାରିବ ସେଥିରେ ପ୍ରାଇଭେଟ୍ ଟିଚରଙ୍କ ଦରମା ଦିଆଯିବ । ତେବେ ଅଭିଯୋଗ ଅନୁସାରେ ଏହି ପ୍ରାଇଭେଟ୍ ଟିଚର ଜଣକ ପ୍ରଧାନଶିକ୍ଷକ ମନୋରଞ୍ଜନ ଧଳଙ୍କୁ ଦରମା ମାଗିଥିଲେ । କିନ୍ତୁ ମଧ୍ୟାହ୍ନ ଭୋଜନ ରୋଷେଇର ଦାୟିତ୍ୱ ନେଇଥିବା ପ୍ରଧାନ ଶିକ୍ଷକଙ୍କ କହିବା ଅନୁସାରେ ପଇସା ଉଠା ହୋଇନଥିଲା । ତେଣୁ ସେ ପଇସା ଦେଇପାରିନଥିଲେ । ହେଲେ ଏଥିରେ ସରପଞ୍ଚ ତୁଷାର ସାହୁ ତାଙ୍କୁ ନିଜ ଦରମାରୁ ତାଙ୍କ ଦାଦା ସନାତନ ସାହୁଙ୍କୁ ପଇସା ଦେବା ପାଇଁ କହିଥିଲେ ।

ଆଉ ଏଥିରେ ରାଜି ନହେବାରୁ ପ୍ରାଇଭେଟ୍ ଟିଚର ସନାତନ ସାହୁଙ୍କ ଉପସ୍ଥିତିରେ ସରପଞ୍ଚ ତୁଷାର ସାହୁ ଏବଂ ଅନ୍ୟ ଜଣେ ସହଯୋଗୀ ଗୁଡୁ ବେହେରା ତାଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ କରିଛନ୍ତି ପ୍ରଧାନଶିକ୍ଷକ । ଏହି ଘଟଣା ନେଇ ସେ ଗୁରୁଡି ଝାଟିଆ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତଦନ୍ତରେ ସେ ସନ୍ତୁଷ୍ଟ ନାହାଁନ୍ତି । ଆଉ ଏଠାରେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଉଥିବାରୁ ତାଙ୍କୁ ଟ୍ରାନ୍‌ସଫର କରିଦେବା ପାଇଁ ସେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ।

ସେପଟେ ପ୍ରଧାନ ଶିକ୍ଷକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିଥିବା ନେଇ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଞ୍ଚ । ତେଣୁ ଉଭୟ ପକ୍ଷଙ୍କ ଏତଲାକୁ ଆଧାର କରି ଘଟଣାର ତଦନ୍ତ ଜାରି ରହିଛି । ତେବେ ଏଠାରେ ଏକ ବଡ ପ୍ରଶ୍ନ ହେଉଛି କି ଯଦି ସ୍କୁଲରେ ଶିକ୍ଷକ ଅଭାବ ଅଛନ୍ତି ତେବେ ଏଥିରେ ପ୍ରଶାସନ ପଦକ୍ଷେପ ନେବା କଥା । କିନ୍ତୁ ତାହା ନକରି ସ୍କୁଲରେ ପ୍ରାଇଭେଟ୍ ଟିଚର ରଖିବା ଏବଂ ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ବିକି ଦରମା ଦେବା ପାଇଁ ଅନୁମତି ଦେଇଛି କିଏ ।

Get real time updates directly on you device, subscribe now.