fbpx

କର୍ମଚାରୀଙ୍କୁ ଛଟେଇ ପାଇଁ ଘୋଷଣା କଲା Dell: AI ଦୁନିଆରେ ପାଦ ଦେବାକୁ ପ୍ରସ୍ତୁତି ଆରମ୍ଭ କଲା ଟେକ୍ କମ୍ପାନୀ

ନୂଆଦିଲ୍ଲୀ: ଦିନକୁ ଦିନ କୃତ୍ରିମ ବୁଦ୍ଧିମତା (ଏଆଇ)ର ପ୍ରଧାନ୍ୟ ବଢ଼ିବାରେ ଲାଗିଥିବା ବେଳେ ଆଗାମୀ ଦିନରେ ଏହାର ଚାହିଦା ସାରା ବିଶ୍ୱରେ ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଇଛି । ଆମେରିକା ସ୍ଥିତ ଓପନଏଆଇ କମ୍ପାନୀ ତରଫରୁ ଚାଟଜିପିଟି ଲଞ୍ଚ କରାଯିବା ପରେ ବିଶ୍ୱର ଅନେକ ଟପ୍ ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ, ଗୁଗଲ, ମେଟା ମଧ୍ୟ ନିଜ ନିଜର ଏଆଇ ସେବା ଆରମ୍ଭ କରିସାରିଛନ୍ତି । ତେବେ ଏହା ମଧ୍ୟରେ ପୁଣି ଏକ ବହୁରାଷ୍ଟ୍ରୀୟ କମ୍ପାନୀ ଏହି ରେସରେ ସାମିଲ ହେବାକୁ ଯାଉଛି ।

ସୂଚନା ମୁତାବକ, ଆମେରିକ ସ୍ଥିତ ଟେକ କମ୍ପାନୀ ଡେଲ ଖୁବଶୀଘ୍ର ଏଆଇ ଦୁନିଆରେ ପାଦ ଦେବାକୁ ଯାଉଛି । ସେଥିପାଇଁ କମ୍ପାନୀ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ସେହି କାରଣରୁ କମ୍ପାନୀ ତା’ର କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ଘୋଷଣା କରିଛି । ତେବେ କେତେ କର୍ମଚାରୀଙ୍କୁ ଛଟେଇ କରାଯିବ ସେନେଇ କମ୍ପାନୀ ସଠିକ୍ ଭାବେ ସାର୍ବଜନିନ କରିନଥିବା ବେଳେ ଏହି ସଂଖ୍ୟା ହଜାର ହଜାର ହେବ ବୋଲି ଅନେକ ଅନଲାଇନ୍ ରିପୋର୍ଟରୁ ଜଣାପଡ଼ିଛି । ତେବେ କମ୍ପାନୀ ୧୨ ହଜାର ୫୦୦ ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିପାରେ ବୋଲି ଏକ ଲେଅଫ୍ ଟ୍ରାକିଂ ୱେବସାଇଟ୍ ତରଫରୁ କୁହାଯାଇଛି ।

ତେବେ କମ୍ପାନୀର ଏହି ଲେଅଫ୍ ଘୋଷଣା ଦ୍ୱାରା ପ୍ରାଥମିକ ଭାବେ ସେଲ୍ସ ଓ ମାର୍କେଟିଂ ଟିମ୍ ପ୍ରଭାବତ ହେବେ ବୋଲି ଜଣାପଡ଼ିଛି । ଏ ବାବଦରେ ଏକ ଆଭ୍ୟନ୍ତରୀଣ ମେମୋ ଜରିଆରେ ଡେଲ କାର୍ଯ୍ୟନିର୍ବାହୀ ବିଲ ସ୍କାନେଲ ଓ ଜୟ ବାଇରନେଙ୍କ ଦ୍ୱାରା ସୂଚିତ କରାଯାଇଥିଲା । ଏଆଇ କ୍ଷମତାରେ ନିବେଶ ପାଇଁ କମ୍ପାନୀର ପ୍ରାଥମିକତା ଉପରେ ଜୋର ଦିଆଯିବା ନେଇ କୁହାଯାଇଥିଲା । ବଜାରର ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନୀ ଅଧିକ ଦକ୍ଷ ଓ ଚତୁତାର ସହିତ କାର୍ଯ୍ୟ କରିବାକୁ ଚାହୁଁଥିବା କାର୍ଯ୍ୟନିର୍ବାହୀମାନେ କହିଥିଲେ । କମ୍ପାନୀର ଏହି ପଦକ୍ଷେପ ଫଳରେ ଅନେକ କର୍ମଚାରୀ ପ୍ରଭାବିତ ହେବେ । ମାତ୍ର ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଓ ବିଜୟପଥରେ ଅଗ୍ରସର ହେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କାର୍ଯ୍ୟନିର୍ବାହୀମାନେ କର୍ମଚାରୀମାନଙ୍କୁ କହିଛନ୍ତି ।

କମ୍ପାନୀ ଏକ ନୂଆ ଏଆଇ-ଟାର୍ଗେଟ୍ ଭିତ୍ତିକ ୟୁନିଟ ସ୍ଥାପନ କରି ସର୍ଭର ଓ ଡାଟା ସେଣ୍ଟର ସଲ୍ୟୁସନ ଉପରେ କାର୍ଯ୍ୟ ଆରମ୍ଭ କରିବ । ଏହା ପୂର୍ବରୁ ଗତବର୍ଷ ପ୍ରାରମ୍ଭରେ କମ୍ପାନୀ ୧୩ ହଜାର କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିଥିଲା । ସେ ସମୟରେ ସମଗ୍ର ଟେକ ଇଣ୍ଡଷ୍ଟ୍ରିରେ ଲେଅଫର ପ୍ରଭାବ ପଡ଼ିଥିଲା । ଗତବର୍ଷ ପାଖାପାଖି ୨ ହଜାର ଟେକ କମ୍ପାନୀର ୨.୬ ଲକ୍ଷରୁ ଅଧିକ କର୍ମଚାରୀ ଚାକିରି ହରାଇଥିଲେ । ଚଳିତ ବର୍ଷ ମଧ୍ୟ କିଛି ବର୍ଷ କମ୍ପାନୀରେ ଜବ୍ କଟ୍ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.