fbpx

‘ଆସୋଜ ଅମାବାସ୍ୟା’ ପାଇଁ ବଦଳିଲା ହରିୟାଣା ବିଧାନସଭା ନିର୍ବାଚନର ମତଦାନ ତାରିଖ: କ’ଣ ଏହି ପରମ୍ପରା, କାହିଁକି ଏଭଳି ନିଷ୍ପତ୍ତି ନେଲେ EC

ନୂଆଦିଲ୍ଲୀ: ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନର ମତଦାନ ଅକ୍ଟୋବର ୧ ତାରିଖ ବଦଳରେ ୫ରେ ହେବ । ମତଦାନ ତାରିଖ ବଦଳିବା ଫଳରେ ମତଗଣନା ତାରିଖ ମଧ୍ୟ ବଦଳିଛି । ହରିୟାଣା ଓ ଜମ୍ମୁ କଶ୍ମୀରରେ ଅକ୍ଟୋବର ୮ରେ ଭୋଟ ଗଣତି ହେବ । ତେବେ ଏଠାରେ ପ୍ରଶ୍ନ ଉଠୁଛି ହରିୟାଣାରେ ମତଦାନ କ’ଣ ପାଇଁ ମତଦାନ ତାରିଖ ପରିବର୍ତ୍ତନ କରାଗଲା? ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) କେଉଁ କାରଣରୁ ଏହି ନିଷ୍ପତ୍ତି ନେଲେ । ହରିୟାଣାରେ ନିର୍ବାଚନ ତାରିଖ ଘୁଞ୍ଚାଇବା ପାଇଁ ବିଜେପି-ଆଇଏନଏଲଡି ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରାଯାଇଥିଲା ।

ନିର୍ବାଚନ ଆୟୋଗଙ୍କ ମୁତାବକ, ବିଷ୍ଣୋଈ ସମୁଦାୟର ମତଦାନ ଅଧିକାର ଓ ପରମ୍ପରାକୁ ସମ୍ମାନ ଦେବା ପାଇଁ ହରିୟାଣାରେ ନିର୍ବାଚନ ତାରିଖ ବଦଳାଇବା ନିଷ୍ପତ୍ତି ନିଆଯାଇଥିଲା । ଏହି ସମୁଦାୟ ନିଜର ଗୁରୁ ଜମ୍ଭେଶ୍ୱରଙ୍କ ସ୍ମୃତିରେ ୩୦୦-୪୦୦ ବର୍ଷର ପୁରୁଣା ପ୍ରଥାକୁ ପାଳନ କରିଥାନ୍ତି । ଚଳିତ ବର୍ଷ ‘ଆସୋଜ ଅମାବାସ୍ୟା’ ଅକ୍ଟୋବର ୨ ତାରିଖରେ ପଡ଼ୁଛି । ତେଣୁ ପରିବର୍ତ୍ତନ କରିବା ପାଇଁ ଅଖିଳ ଭାରତୀୟ ବିଷ୍ଣୋଈ ମହାସଭା, ବୀକାନେର, ରାଜସ୍ଥାନର ରାଷ୍ଟ୍ରୀୟଙ୍କ ପକ୍ଷରୁ ଏକ ଜ୍ଞାପନ ପ୍ରାପ୍ତ ହୋଇଥିଲା । ବୀକାନେରର ମୁକାମ ନାମକ ଏକ ଗ୍ରାମରେ ଗୁରୁ ଜମ୍ଭେଶ୍ୱର ସମାଧି ନେଇଥିଲେ । ତେଣୁ ଏହି ସ୍ଥାନକୁ ଏବେ ମୁକ୍ତି ଧାମ କୁହାଯାଉଛି । ପ୍ରତିବର୍ଷ ଆସୋଜ ଅମାବାସ୍ୟା ଅବସରରେ ହରିୟାଣା, ପଞ୍ଜାବ ଓ ରାଜସ୍ଥାନରୁ ବହୁ ଲୋକ ମୁକ୍ତିଧାମ ଯାତ୍ରା କରିଥାନ୍ତି ।

ଜ୍ଞାପନରେ କୁହାଯାଇଥିଲା, ପଞ୍ଜାବ, ରାଜସ୍ଥାନ ଓ ହରିୟାଣାର ପରିବାର ଗୁରୁ ଜମ୍ଭେଶ୍ୱରଙ୍କ ସ୍ମୃତିରେ ବୀକାନେରରେ ବାର୍ଷିକ ଉତ୍ସବ ପାଇଁ ‘ଆସୋଜ’ ମାସର ‘ଅମାବାସ୍ୟା’ରେ ରାଜସ୍ଥାନର ନିଜ ପୈତୃକ ଗ୍ରାମ ମୁକାମକୁ ଯାତ୍ରା କରିବେ । ହରିୟାଣାର ସିରସା, ଫତେହାବାଦ ଓ ହିସାରରେ ରହୁଥିବା ହଜାର ହାଜର ବିଷ୍ଣୋଈ ପରିବାର ଅକ୍ଟୋବର ୨ରେ ରାଜସ୍ଥାନ ଯାତ୍ରା କରିବେ । ତେଣୁ ସେମାନେ ନିଜର ମତାଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ ହେବେ । ଅକ୍ଟୋବର ୧ ତାରିଖ ପୂର୍ବରୁ ଓ ପରେ ଅନେକ ଛୁଟି ପଡ଼ୁଥିବାରୁ ଲୋକମାନେ ନିଜର ଫାଇଦା ପାଇଁ ନିଜ ସହରକୁ ଯାଇ ପାରନ୍ତି । ଏପରି ସ୍ଥିତିରେ ମତଦାନ ପ୍ରତିଶତ କମିପାରେ ବୋଲି ବିଜେପି-ଆଇଏନଏଲଡି ପକ୍ଷରୁ ତର୍କ ଦିଆଯାଇଥିଲା ।

Get real time updates directly on you device, subscribe now.